Unknown

ନିର୍ମଳ-ପ୍ରଭା

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ନିର୍ମଳ

-

ମଇତ୍ର ! କିମ୍ପା ଆଜି ବାମଚକ୍ଷୁ ମମ ସ୍ଫୁରେ ଘନ ଘନ । କେ ଜାଣେ କି ଅମଙ୍ଗଳ ଘଟିପାରେ ଅବା ।

ପ୍ରଭାକର

-

ମଇତ୍ର ! କୌଣସି ବିପଦର ଆଶଙ୍କା ।

ନିର୍ମଳ

-

କି ବିପଦ, ତୁମ୍ଭେ ଯେତେବେଳେ ମୋ ନିକଟରେ ଅଛ, ମୋର କୌଣସି ବିପଦକୁ ଭୟ ନାହିଁ ।

ପ୍ରଭାକର

-

ବନ୍ଧୁ ! ବାମନୟନ ଅଧୋଭାଗର ଅଧସ୍ଥାନ ସ୍ଫୁରିଲେ ଅଙ୍ଗପୀଡ଼ା, ଉର୍ଦ୍ଧ୍ୱସ୍ଥାନ ସ୍ଫୁରିଲେ ମାନହାନି, ନେତ୍ରପ୍ରାନ୍ତେ ଧନହାନି ଓ କୋଣେ ବନ୍ଧୁନାଶ ।

ନିର୍ମଳ

-

ସେଥିପାଇଁ ଶୋଚନା ନାହିଁ, ଯାହା ଘଟିବାର ଘଟୁ, ଅକାତରେ ସହ୍ୟ କରିବା ।

ପ୍ରଭା

-

ମଇତ୍ର ! ଦେଖିଲଣି ନା, ଏ କିଏ ? ଦୂତ କାହିଁକି ଭାରି ବେଗରେ ଆସୁଛି ।

 

-

(ଦୂତ ପ୍ରବେଶି ଅଭିବାଦନ)

ନିର୍ମଳ

-

ଦୂତ ! କିବା କାର୍ଯ୍ୟେ ଆଗମନ ତୋର । ପ୍ରକାଶ, ସନ୍ଦେହ ହର ମନରୁ ଆମ୍ଭର, ପିତାମାତା ଛନ୍ତି ତ କୁଶଳେ ?

ଦୂତ

-

ଯୁବରାଜ ! ସମସ୍ତ ମଙ୍ଗଳ, ତେବେ ଆପଣଙ୍କୁ ରାଜସଭାକୁ ନେବାପାଇଁ ରାଜାଙ୍କର ଅନୁମତି ଘେନି ଆସିଛି ।

ନିର୍ମଳ

-

ମଇତ୍ର ! କିବା ଅଭିଳାଷେ ଡକାଇଲେ ତାତ ପଡ଼ିଲାଣି ସନ୍ଦେହ ମୋ ମନେ, ତୁମ୍ଭ ଆମ୍ଭ ମିତ୍ରଭାବ ତୁଟାଇବାଆଶେ ଅନୁବ୍ରତେ କରୁଛନ୍ତି ଚେଷ୍ଟା । କେଜାଣି କି କପାଳରେ ଘଟୁଅଛି ଆଜି । ଜାଣ ମିତ, ଯେ ପର୍ଯ୍ୟନ୍ତ ଅଛି ମୁହିଁ ପ୍ରାଣରେ ଜୀବିତ, ସେ ପର୍ଯ୍ୟନ୍ତ ନପାରେ ମୁଁ ତୁମ୍ଭ ସ୍ନେହ ଛାଡ଼ି, ଚାଲ ତେବେ ପିତାଙ୍କ ନିକଟ ।

 

 

( ରାଜାଙ୍କ ନିକଟେ ପ୍ରବେଶି ପ୍ରଣିପାତ )

ରାଜା

-

ବାପ ନିର୍ମଳ ! ମୋର ଏ ବୃଦ୍ଧ ବୟସେ କିମ୍ପା ଦେଉ ଏତେ ବ୍ୟଥା, ଏ ଜରାଜୀର୍ଣ୍ଣ ଶୁକ୍ଳ କେଶେ ରାଜ ମୁକୁଟ ମଣ୍ଡିତ ହେବା ନଶୋଭଇ ଆଉ, କାଲି ପ୍ରାତେଃ ଯୌବରାଜ୍ୟେ ଅଭିଷିକ୍ତ କରାଇବି ତୋତେ, ଭାବିଛି ମାନସେ, ଆସ ବାପ, କୋଳକୁ ମୋହର ।

ନିର୍ମଳ

-

ତାତ ! ମୁକୁଟ ମଣ୍ଡିତ ରାଜଶିର ନୋହେ ଶାନ୍ତିର ଆସ୍ପଦ । ସଦାବେଳେ ଚିନ୍ତାକୁଳେ ଦହୁଥାଏ ହୃଦ । ସିଂହାସନେ ଗଲେ ଗର୍ବ ଦମ୍ଭ ଅଭିମାନ ଆକର୍ଷଣ କରିପାରେ ହୃଦ, ପୁଣି ବାଧାଦେବ ବନ୍ଧୁତାରେ ମୋର । ଲୋଡ଼ା ନାହିଁ ତାତ, କର ଅନ୍ୟ ପ୍ରତିକାର ।

ରାଜା

-

ମୂର୍ଖ ! ଅନ୍ୟ ପ୍ରତିକାର କରିବି । ମୁଁ ପିତା, ତୁ ପୁତ୍ର । ତୁ ମୋର କଥା ଅମାନ୍ୟ କରୁଛୁ ସାମାନ୍ୟ ସାଧବ ପୁତ୍ରର ସଙ୍ଗରେ ପଡ଼ି । ମୋର ଆଜ୍ଞାର ଅବଜ୍ଞା, ଆଚ୍ଛା କେ ତୋତେ ରକ୍ଷା କରିବ ଦେଖିବି ।

 

 

ଗୀତ

(କହ ଦୂତ ଏ ତ ବିପରୀତ-ବୃତ୍ତେ)

ନିର୍ମଳ ତୁ କୁଳାଙ୍ଗାର ନ କଲୁ ମୋ ବଥା କାଳେ ।

ଧିକ ସେ ବିଧାତା ତୋତେ ଜନ୍ମ ଦେଲା ମୋର କୋଳେ ।

 

 

 

ରେ ମୂର୍ଖ ! ତୋତେ ବିଧାତା ମୋ କୋଳରେ ଜନ୍ମ ଦେଇଥିଲା, ସେ ଏଡ଼େ ଅବିବେକ ।

 

 

ଗୀତ

ବେଳକୁ ବେଳ ମୋ ବୁଦ୍ଧି ବିଭ୍ରମ କଲାଣି ବିଧି,

ହେଉ ମୂଢ଼ ରାଜଗାଦି ଭାଜିଯିବ ଅବହେଳେ । ୧ ।

 

 

 

କୁଳାଙ୍ଗାର ! ତୋତେ ବିଧାତା ବିପକ୍ଷ ହେଲାଣି; ନଚେତ୍‌ ଏପରି କୁବୁଦ୍ଧି ଦିଶନ୍ତା ନାହିଁ । ରାଜଦ୍ରୋହୀ ହେବାର ଶାସ୍ତି ବର୍ତ୍ତମାନ ଭୋଗକର ।

 

 

ଗୀତ

ରାଜ କୁଳର କଳଙ୍କ ଚାହିଁ ନାହିଁ ତୋର ମୁଖ,

ଦୁରାତ୍ମା ତୁ ଅବିବେକ ସୁଖ ନାହିଁ ତୋ କପାଳେ । ୨ ।

 

 

 

ମୂର୍ଖ ! ଏ ରାଜବଂଶରେ ତୁ ଗୋଟିଏ ଅକୁଳା ଜନ୍ମ ହୋଇଥିଲ । ଦୁରାତ୍ମା, ତୋର ଆଉ ମୁଖାବଲୋକନ କରିବି ନାହିଁ । (ଦୂତ ପ୍ରତି)

 

 

ଗୀତ

ବିଳମ୍ୱ ନ କରି ଦୂତେ ଘେନିଯାଅ ଏ ମୁହୂର୍ତ୍ତେ

ଦେଶାନ୍ତରେ ଦିଅ ସୁତେ ବାଳକୃଷ୍ଣ ସଦା ଭାଳେ ।୩।

 

 

 

କୁଳାଙ୍ଗାର ! ରାଜଦ୍ରୋହି ! ନାହିଁ ତୋତେ ଭଲଗତି ଆଉ । ଦୂତ ! ଅବିଳମ୍ୱେ ଦେଶାନ୍ତରେ ଦିଅ ଏ ପାଷଣ୍ଡେ, ଅଯୋଗ୍ୟ ଏ, ନୁହଇଟି ରାଜପଦେ ଯୋଗ୍ୟ ।

ଦୂତ

-

ଯେ ଆଜ୍ଞା ମହାରାଜ ।

ନିର୍ମଳ

-

କିବା ଦୋଷେ ଦେଉଛନ୍ତି ଏ ଅଧୀନେ ଦଣ୍ଡ, ଘେନ ଥରେ ବିନତି ମୋହର ।

 

 

ଗୀତ

(ପୀତପଟ ଧିଟ-ବୃତ୍ତେ)

କହ କହ (ହେ) ତାତ କି ଦୋଷ,

ମିତ କଲା ତୁମ୍ଭ ଚରଣେ ।

ସ୍ନେହ ବଞ୍ଚିତ କିମ୍ପା କରତ,

ବଞ୍ଚିବି କି ଜୀବନେ । ପଦ ।

 

 

-

ତାତ ! ଆପଣଙ୍କ ଚରଣ ତଳୁ ଏ ଅଧୀନ ଅନ୍ତର ହୋଇ ସତେ କ’ଣ ବଞ୍ଚିପାରିବ ।

ରାଜା

-

ମୂର୍ଖ, ବଞ୍ଚିଲେ କେତେ ମଲେ କେତେ, ମୁଁ ତୋର ଅଭିନୟ ଦେଖିବାକୁ ଚାହେଁ ନା ।

ନିର୍ମଳ

 

-

ଗୀତ

ପ୍ରାଣୁ ଅଧିକ କରି ଆଜି ହୁଅ ଭଗାରୀ ।

ତାତ ନୁହେ ମୁଁ ଅରି ଗୁହାରି ଶୁଣନ୍ତୁ କ୍ଷଣେ ।

 

 

 

ପିତା ! ଏ ସାମାନ୍ୟ କଥାରେ ଏତେ ଗୁରୁତର ଶାସ୍ତି ! ମୁଁ ତ କୌଣସି ଅପ୍ରାଧ କରିନାହିଁ । ଯଦି ଭ୍ରମବଶତଃ ଶ୍ରୀପୟରେ କୌଣସି ଦୋଷ କରିଥାଏ, ତାହା ବାତ୍ସଲ୍ୟ ପ୍ରେମରେ କ୍ଷମା କରନ୍ତୁ ।

ରାଜା

-

ଯଦି କ୍ଷମା ଚାହୁ, ଛାଡ଼ ଆଜିଠାରୁ ସେହି ଶଠ ବଣିକପୁତ୍ର ପ୍ରଭାକର ମଇତ୍ରର ସଙ୍ଗ ।

ନିର୍ମଳ

-

କହ ପିତଃ, ଭାଙ୍ଗିବାକୁ ଏଡ଼େ ନିର୍ମଳ ପ୍ରେମ ତବ ଏତେ ଯତ୍ନ କିମ୍ପା ? କରିନାହୁଁ କି କରୁନାହୁଁ ମିଳି ବେନି ଅନିଷ୍ଟ କାହାରି । ଭାଷ ତାହା ସ୍ପଷ୍ଟ କରିନାହୁ ପ୍ରବଞ୍ଚନା କାହିଁ ସଦା ସ୍ପଷ୍ଟ ବ୍ୟବହାର, ଧରୁଛି ଚରଣ ତାତ ନ କର ବାରଣ ଆନ ଯାହା ପାଳିବି ନିୟତ ।

 

 

ଗୀତ

ମିତ୍ର ଜୀବ ଜୀବନ ତ ତେ ନାହିଁଟି ଆନ ।

ବାଳକୃଷ୍ଣ ଭଣେ ଆଜ୍ଞା ଦିଅ ଯେ ସ୍ଥାନେ । ୨।

ମିତ୍ର ବିନା କ୍ଷଣେ ମୁହିଁ ନପାରଇ ବଞ୍ଚି,

ଜୀବନେ ମରଣେ ଏକା ସେହି ବାନ୍ଧବ ମୋହର ।

 

ରାଜା

-

ଦୂତ ! ଘେନିଯାଅ ଅକୁଳାକୁ ସମ୍ମୁଖୁ ମୋହର ।

ଦୂତ

-

ଯେ ଆଜ୍ଞା ମହାରାଜ ।

 

ଫାର୍ଶ

(ଯାଉଛି ବେନୁଆ ମା’-ବୃତ୍ତେ)

ପୁରୁଷ

-

ସୁନା ବୋଉ ଊଣା କରୁ ମନ କାହିଁକି ।

ସ୍ତ୍ରୀ

-

ଟଣାଟଣି ବେଳ ଏ ତ ଜଣାନାହିଁ କି ?

ସ୍ତ୍ରୀ

-

ଗାଁ ଗାଁ କେ ଅମିନ କଲେଣି ତ ବସା ।

ପୁ

-

ତୋ ହଂସା ଉଡ଼ୁଛି କହ କାହିଁ ପାଇଁକି ।

ସ୍ତ୍ରୀ

-

ସୁନା ବାପ ମୋହର ନାହାନ୍ତି ତ ଘରେ ।

ପୁ

-

ଦଖଲ ଚିହ୍ନଟ ଦେବି ମୁହିଁ ରହିକି ॥

ସ୍ତ୍ରୀ

-

ତୋ ଦଖଲ ମୋତେ କ’ଣ ଲେଖିବ ଅମିନ ।

ପୁ

-

ଆଇନ ଖଞ୍ଜା ହୋଇଛି ପରା ତହିଁକି ॥

ସ୍ତ୍ରୀ

-

ହଇ ରେ ତୋତେ କ’ଣ ଦିଅର ତଳେ ଲେଖିବ ଅମିନ ?

ପୁ

-

ଆଲୋ, ମୁଁ ଥାଉ ଥାଉ ତୁ କ’ଣ ହେବୁ ସର୍ବସାଧାରଣ ।

ସ୍ତ୍ରୀ

-

ସର୍ବସାଧାରଣ ହେଲେ ମୋର କ’ଣ ହେବ ତୁଟି ।

ପୁ

-

ଆଲୋ ଭାଇ ସମ୍ପତ୍ତି କି ଭାଇ ନଖାଇବ ଗାଁ ବାଲା ନେବେ ବାଣ୍ଟି ।

ସ୍ତ୍ରୀ

-

ହଇରେ, ସୁନାବାପ ଯେବେ ପହଞ୍ଚେ ତେବେ କ’ଣ ହେବ ।

ପୁ

-

ଆଲୋ ସେ ଆସୁ, ମୁଁ କ’ଣ ସହଜେ ଛାଡ଼ୁଛି । ଆଟେସନ ଶଏ ଷୋହଳ, ଶଏ ତେଇଶ ନୋହିଲେ ଅଦାଲତ ଯାଏ ଯିବ ।

 

 

(ଉଭୟଙ୍କ ପ୍ରସ୍ଥାନ)

 

(ଦ୍ୱିତୀୟ ଦୃଶ୍ୟ)

ନିର୍ମଳ

-

ମଇତ୍ର ! ଏଇ ହୋଇଲାଣି ଆସି ଦିବା ଅବସାନ । ଦିନକର ମହାନନ୍ଦେ ଅସ୍ତାଚଳେ କଲେଣି ଗମନ । ସନ୍ଧ୍ୟାଦେବୀ ମନର ଉଲ୍ଲାସେ ପିନ୍ଧି କଳାଛିଟ ଶାଢ଼ି ଧରା କୋଳେ ହେଲେ ଉପବିଷ୍ଟା । କୁମୁଦିନୀ ଧନୀ ସରସୀ ଅନିଳେ ଟେକିଲେଣି ମଥା । ବନ୍ଧୁ ପ୍ରତି ଆଶେ, କୋଟି କୋଟି ତାରା ବିମଣ୍ଡିତ ନକ୍ଷତ୍ର ଖଚିତ ନୀଳନଭେ ହିମାଂଶୁ ଉଦିତ ହେଲେଣି । ଏଣେ ଶର୍ବରୀର ଆଗମନେ ଅଦୃଶ୍ୟ ହେଲେଣି ଲତାରଣ୍ୟରାଜି । କହ ମିତ୍ର ! କି ଉପାୟ କରିବି ଏକ୍ଷଣି ।

 

 

ଗୀତ

(ଆଜ ଯିବି-ବୃତ୍ତେ)

ଗଲେଣି ଅସ୍ତାଚଳେ ଦେବ ଦିନମଣି ।

ଗିରିଗୁହା ଲତାରଣ୍ୟ ଅଦୃଶ୍ୟ ହେଲାଣି ।୦।

 

 

 

ମଇତ୍ର ! ବର୍ତ୍ତମାନ ନିଶୀଥିନୀର ଆଗମନରେ ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ୍ନ । ଆଉ ତ ପଥ ଦେଖାଯାଉନାହିଁ ।

ପ୍ରଭା

-

ହଁ ମଇତ୍ର, ରାତ୍ରି ମାଡ଼ି ଆସିଲାଣି ।

ନିର୍ମଳ

-

(ଗୀତ)

ନକ୍ଷତ୍ର ମଣ୍ଡିତ ଚନ୍ଦ୍ର ନୀଳ ଗଗନରେ

ହସି ହସି ଚାହିଁଲେଣି ଧରଣୀ ମଣ୍ଡଳେ ।୧।

 

 

 

ମଇତ୍ର ! ଦେଖିଲ, ଏ ସୁନୀଳାକାଶେ ଚନ୍ଦ୍ର ଚଉପାଶେ ନକ୍ଷତ୍ରମାନେ ମଣ୍ଡିତ ହୋଇଥିବାରୁ ପ୍ରକୃତି ଦେବୀ କିପରି ହସିଲାପରି ଦେଖାଯାଉ ଅଛନ୍ତି ।

ପ୍ରଭା

-

ମଇତ୍ର ! ସେ ଶୋଭାରୁ ଆମ୍ଭମାନଙ୍କୁ କ’ଣ ମିଳିବ !

ନିର୍ମଳ

-

(ଗୀତ)

ନିଶା ଦେବୀର ଆଗମେ ନିଶାଚରଗଣରେ

କୋଳାହଳେ ଯେଝା ବାସୁଁ କଲେଣି ଗମନ ।୨।

 

 

 

ମିଇତ୍ର, ଦେଖିଲ ହିଂସ୍ର ଜନ୍ତୁମାନେ କିପରି ଚିତ୍କାର କର ଯେ ଯାହାର ବସାମାନଙ୍କରୁ ଖାଦ୍ୟ ଅନ୍ୱେଷଣ କରି ବାହାରିଲେଣି ।

ପ୍ରଭା

-

ମିତ୍ର, ବର୍ତ୍ତମାନ ଆମ୍ଭେମାନେ କେଉଁଆଡ଼େ ଯିବା ।

ନିର୍ମଳ

-

(ଗୀତ)

ପଥଶ୍ରମ ନିଦ୍ରା, ତନ୍ଦ୍ରା ଲାଗିଲାଣି ମୋତେ ।

କହ କି ଉପାୟ ମିତ୍ର ବାଳକୃଷ୍ଣ ଚିନ୍ତେ । ୩ ।

 

 

 

ମଇତ୍ର ! ପଥଶ୍ରମ ବାଧାରେ ମୋହ ଶରୀର ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଲାଣି । ମୁଁ ଆଉ ଚାଲିପାରିବ ନାହିଁ । ଏଣେ ବି ଅନ୍ଧାରରେ ପଥ ଆଉ ଦେଖାଯାଉନାହିଁ । ମୁଁ ଏଠାରେ ବିଶ୍ରାମ କରୁଛି, ତୁମ୍ଭେ ଟିକିଏ ବସ । ପରେ ତୁମ୍ଭେ ବିଶ୍ରାମ ନେବ, ମୁଁ ବସିବି ।

ପ୍ରଭା

-

ହଉ ମଇତ୍ର ! ବିଶ୍ରାମ କରନ୍ତୁ ।

 

 

(ଗୋଟିଏ ଅସୁରୁଣୀର ପ୍ରବେଶ)

ଅସୁରୁଣୀ

-

(ସ୍ୱଗତ) ଓହୋ, ଆଉ କେତେଦିନ ବଞ୍ଚିବି ମୁଁ ନିରାହାରେ ରହି । ଛଅମାସ ହେଲା ପ୍ରାୟ ନପାଇଲି ଆହାର ଗୋଟିଏ । ଆଜି କିସ ଘଟୁଛି ମୋ କର୍ମେ ଦେଖାଯାଉ । ଏ କ’ଣ, ନରମାଂସ ଗନ୍ଧ ହୁଏ କାହୁଁ ! କେହି କି ପଥିକ ପଥଶ୍ରାନ୍ତେ ରହିଛି ଏ ବନେ । ଯାଇ ଦେଖେଁ (ଇତସ୍ତତଃ ନିରୀକ୍ଷଣ କରି, ଏଇ ତ ସେ ବଟବୃକ୍ଷ ସମୀପରେ ଦୁଇଜଣ । ଜଣେ ନିଦ୍ରାରେ ଅବଶ ଅନ୍ୟଟି ଜାଗ୍ରତ । ତେବେ ବଡ଼ ସୁଯୋଗ ପଡ଼ିଛି ମୋତେ । ତୃପ୍ତ ହେବ ନିଶ୍ଚେ ଆଜି ତାପିତ ପରାଣ । ତେବେ ଛଦ୍ମ ବେଶେ ଯିବି ତାଙ୍କ ପାଶ ।

 

 

(ମାୟାରେ ଷୋଡ଼ଶୀ ଯୁବତୀ ରୂପରେ ଗମନ)

ପ୍ରଭା

-

(ସ୍ୱଗତ) ଏ କ’ଣ, ଜଙ୍ଗଲଟା ମାଡ଼ିମାଡ଼ି ପଡ଼ୁଛି କାହିଁକି । କେହି ହିଂସ୍ରଜନ୍ତୁ ଆସିଲା ପରି ଅଦୃଶ୍ୟରେ ପଲ୍ଲବର ମର ମର ଶବ୍ଦ ଶୁଣାଯାଏ । ଦେଖାଯାଉ, ଚନ୍ଦ୍ରାଲୋକତ ପଡ଼ିଛି, ଅବଶ୍ୟ ରୂପରୁ ଦେଖିପାରିବି । ଏଇ ତ ଜଣେ ସୁନ୍ଦରୀ ସ୍ତ୍ରୀ ୟାଡ଼େ ଆସୁଛି, ୟାର ରୂପଲାବଣ୍ୟ କୋଟି ମନ୍ମଥ ବାମାକୁ ନିନ୍ଦା କରୁଛି । ଏ ଏତେ ରାତ୍ରିରେ ଏ ଜଙ୍ଗଲ ମଧ୍ୟକୁ ଆସିଲା କିପରି ?

 

 

ମା: କାମିନୀ-(ସ୍ୱଗତ) ଏମାନେ କେହି ରାଜପୁତ୍ର ହେବେ ପରା, ଏମାନେ ଯୌବନର ଦ୍ୱାରଦେଶରେ ଉପଗତ । ଏମାନେ ମୋତେ ଦେଖିଲେ ନିଶ୍ଚୟ ମଦନ ଜ୍ୱାଳାରେ ଅଥୟ ହୋଇପଡ଼ିବେ । ଯାଉଛି, ଭ୍ରୂଭଙ୍ଗୀଦ୍ୱାରା ପ୍ରେମର ଆକାଙ୍‌କ୍ଷା ଦେଖାଇ ସେମାନଙ୍କୁ ଆହାର କରିବି ।

ପ୍ରଭା

-

କିଏ ତୁମ୍ଭେ ସୁନ୍ଦରୀ ! ତୁମ୍ଭର ପରିଚୟ ?

 

 

ମା: କାମିନୀ-ନାଗର । ମୋର ଘର ଏ ଜଙ୍ଗଲ ମଧ୍ୟରେ, ମୁଁ ଗୋଟିଏ ରାଜକନ୍ୟା । ମୋର ପିତାମାତା ମରିଯିବାରୁ ଭ୍ରାତାମାନେ ନିର୍ବାସିତ କରିଛନ୍ତି । ଏଣୁ ମୁଁ ଏକାକିନୀ ଏ ନିବିଡ଼ ଜଙ୍ଗଲ ମଧ୍ୟରେ ବାସ କରୁଛି ।

ପ୍ରଭା

-

ଏତେ ରାତ୍ରରେ ଜଙ୍ଗଲରେ ଭ୍ରମଣ କରୁଛ, ତୁମ୍ଭଙ୍କୁ ଭୟ ଲାଗୁ ନାହିଁ ।

 

 

ମା: କାମିନୀ-ଭୟ କ’ଣ, କର୍ମ ଆଦରି ରହିଛି । ଭୟ ଯେବେ କରିବି ଚଳିବି କିପରି । ନାଗର, ତୁମ୍ଭଙ୍କୁ ଦେଖି ମୋ ମନରେ ଗୋଟିଏ ଆଶାର ସଞ୍ଚାର ହେବାରୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଇଚ୍ଛା କରେ ।

ପ୍ରଭା

-

କି ପ୍ରଶ୍ନ ପ୍ରକାଶ କର ।

 

 

(ଗୀତ)

(ହେ ଆମା-ବୃତ୍ତେ)

 

ମା: କା:- ହେ ନବନାଗର କିପାଁ ବନରେ

ବସିଛ ଏତେ ନିଶାର

ପ୍ରଭା-ଶୁଣଲୋ ତରୁଣୀ କିସ ତୁ ବଖାଣି କର୍ମ

ଆମ୍ଭର ନାରଖାର ।

 

 

 

ମା: କା: - ହେ ନାଗର ! ଏତେ ରାତ୍ରରେ ଏ ଜଙ୍ଗଲ ମଧ୍ୟରେ ତୁମ୍ଭେ ଏକାକି ବସିଛ କାହିଁକି ? ପୁଣି ଏ ଯେ କୋଳରେ ଶୋଇଛନ୍ତି ସେ କିଏ ?

ପ୍ରଭା

-

ସୁନ୍ଦରୀ ! କର୍ମ ଦୋଷରୁ ଏ ଦଶା ଭୋଗ କରିବାକୁ ପଡ଼ୁଛି ।

ମା: କା:

-

(ଗୀତ)

ରାଜସୁତ ପରାଏ ବେଶ

ବନେ କିମ୍ପା ପାଉଛ କ୍ଳେଶ,

 

ପ୍ରଭା-ଶୁଣରେ ନାରୀଶ ପିତା କରି ରୋଷ

ଦେଇଛନ୍ତି ଦେଶାନ୍ତର ।

 

ମା: କା:

 

-

ନାଗର ! ତୁମ୍ଭମାନଙ୍କ ରୂପରୁ ମୁଁ ଅନୁମାନ କରୁଛି, ତୁମ୍ଭେ ରାଜପୁତ୍ର, ତେବେ ଏ କାନନ ମଧ୍ୟରେ ଏପରି କଷ୍ଟ ଭୋଗ କରୁଛ କାହିଁକି ?

ପ୍ରଭା

-

ସୁନ୍ଦରୀ ! ପିତାଙ୍କର ଗୋଟିଏ ଆଦେଶ ପାଳନରେ ତ୍ରୁଟି କରିଥିବାରୁ ଏ ଦଣ୍ଡ ଭୋଗ କରୁଛୁଁ ।

ମ: କା

-

(ଗୀତ)

ଭାଗ୍ୟେ ମୋର ହେଲା ସୁଫଳ

ଭେଟିଲି ଯା ପୟର,

ପ୍ରଭା-କହ ରାମାବର ସଂଶୟ ମୋହର

କିବା ଅଭିଳାଷ ତୋର । ୨ ।

 

ମା: କା

-

ନାଗର ! ଆଜି ରାତ୍ରଟା ମୋର ବଡ଼ ସୁଯୋଗରେ ପାହିଥିଲା, ଯାହା ଆପଣଙ୍କୁ ଭେଟିଲି । ଏଇ ମୋର ମହାନନ୍ଦ ଓ ଭାଗ୍ୟର କଥା ।

ପ୍ରଭା

-

ସୁନ୍ଦରୀ ! ପ୍ରକାଶ କର ଆମ୍ଭଦ୍ୱାରା ତୁମ୍ଭର କି କାର୍ଯ୍ୟ ସାଧିତ ହୋଇପାରେ ।

ମା: କା

-

(ଗୀତ)

ବିରହିଣୀ ମୁହିଁ ଅବଳା,

ତୁଟାନ୍ତୁ ମୋ ବିରହ ଜ୍ୱାଳା ।

ପ୍ରଭା-ହେ ପ୍ରେମଶିଳା ଆଉ ନ ବଳା

ଉଠୁ ମଇତ୍ର ମୋହର ।

 

ମା: କା

-

ନାଗର ତୁମ୍ଭେ ନବଯୁବା ମୁଁ ନବୀନ ଯୁବତୀ । ଆସନ୍ତୁ ଏ ଜଙ୍ଗଲ ମଧ୍ୟରେ ପ୍ରେମାଳାପ କରି ଜୀବନ ଧନ୍ୟ କରିବା ।

ପ୍ରଭା

-

ହେ ସୁନ୍ଦରୀ ! କ୍ଷଣେ ଅପେକ୍ଷା କର, ମଇତ୍ର ଉଠନ୍ତୁ ।

ମା:କା

-

ଗୀତ

ପ୍ରୀତି ରତି ସିନାଟି ଗୁପ୍ତ,

ନ ଜାଣ କି କର ପ୍ରକଟ ।

ପ୍ରଭା-ନାହିଁ ଆୟତ୍ତ ମିତ୍ର ବିନା ତ

ନ କରେ ଜଳ ଆହାର । ୪ ।

 

ମା: କା

-

ନାଗର ମୁଁ ସେପରି ବିଟପୀ ନୁହେଁ । ମୁଁ କେବଳ ଆପଣଙ୍କ ରୂପରେ ମୁଗ୍‌ଧା । ଏଣୁ ଆପଣଙ୍କ ବାହୁଦ୍ୱାରା ଆଲିଙ୍ଗନ କରି ଜାନୁ ଯୁଗଳରେ ଆଶ୍ରୟ ଦିଅନ୍ତୁ ।

ପ୍ରଭା

-

ତା କେବେ ହେଲେ ହୋଇନପାରେ, ମଇତ୍ର ଉଠିବା ପର୍ଯ୍ୟନ୍ତ ଅପେକ୍ଷା କର

 

-

( ମା: କା: ସୁଯୋଗରେ ପ୍ରଭା ହସ୍ତରୁ ମୁଦ୍ରିକା ଛଡ଼ାଇ ଅନ୍ତର୍ହିତ ହେବା )

ପ୍ରଭା

-

ମଇତ୍ର ! ଉଠନ୍ତୁ ମୋତେ ନିଦ୍ରା ଆକ୍ରୋଶ ଦେଖାଇଲାଣି ।

 

 

( ନିର୍ମଳ ଜାଗ୍ରତ ହୋଇ ବସିବା ସମୟେ ପୁନଃ ମା: କା: ଆବିର୍ଭାବ ପୂର୍ବକ ପ୍ରୀତି ଭିକ୍ଷା )

ନିର୍ମଳ

-

କି ଆଶ୍ଚର୍ଯ୍ୟ କଥା, ଏ ସ୍ତ୍ରୀ କ’ଣ ଲାଜକୁ ବିସର୍ଜନ କରିଛି ।

ଗୀତ

 

-

(ଦିନେ ଗାଇ-ବୃତ୍ତେ)

ନବ ଛଇତି ରେ କହୁ ବଡ଼ ଅସମ୍ଭବ କଥା ।

କାହାର ଦୁଲ୍ଲାଳୀ ବାଳୀ କାହାର ତୁ ନାୟିକା ।୦।

 

 

 

ହେ ସୁନ୍ଦରୀ ! ତୁମ୍ଭେ କାହାର କନ୍ୟା, କାହାର ସ୍ତ୍ରୀ । ଏପରି କୁତ୍ସିତ କଥା ମୁଖରେ କାହିଁକି ଆଣୁଛ ।

ମା: କା

-

ନାଗର ! ସେ ସବୁ ବିଷୟ ତ ମୁଁ ପୂର୍ବରୁ ପ୍ରକାଶ କରିଛି, ବର୍ତ୍ତମାନ ଆପଣଙ୍କୁ ମୋର ମନେ ମନେ ପତିତ୍ଵେ ବରଣ କରି ପ୍ରେମାଭିଳାଷ ପ୍ରକାଶ କରୁଛି ।

ନିର୍ମଳ

-

(ଗୀତ)

ପାପ ପ୍ରଣୟରେ ମୋର

ଲୋଡ଼ା ନାହିଁ ରାମାବର,

ପରିଶ୍ରମ ତୋ ବିଫଳ

ମୋ ସଙ୍ଗେ ଲାଗିବା ବୃଥା । ୧ ।

 

 

-

ସୁନ୍ଦରୀ ! ମୁଁ ଅବିବାହିତ ନୁହେଁ, ମୋର ସ୍ତ୍ରୀ ଅଛି, ମୁଁ ଏକଦାର ବ୍ରତାବଲମ୍ୱୀ, ଅନ୍ୟ ସ୍ତ୍ରୀ ଗ୍ରହଣ କରିବି ନାହିଁ ।

ମା: କା

-

ଯୁବକ ! ତୁମ୍ଭେ ରାଜପୁତ୍ର ଶତ ଶତ ସ୍ତ୍ରୀର ମହୁଡ଼ ମଣି ହୋଇପାର, ଏହି ବୃଥା ଛଳନା କରୁଛ କାହିଁକି ?

ନିର୍ମଳ

-

(ଗୀତ)

ଅଛି ମୋର ଦୃଢ଼ ବ୍ରତ,

ପ୍ରୀତି କି ନ ଦେବି ଚିତ୍ତ ।

ରହ କ୍ଷଣେ ଉଠୁ ମିତ୍ର,

କଲେ ସେ କରୁ ରକ୍ଷା । ୨ ।

 

 

 

ସୁନ୍ଦରୀ ! ମୁଁ ପ୍ରତିଜ୍ଞା କରିଛି ପର ସ୍ତ୍ରୀ ପ୍ରତି ପାପଦୃଷ୍ଟି ଦେବିନାହିଁ । ଯେବେ ଏପରି ବାଧ୍ୟକର ମଇତ୍ରଙ୍କଦ୍ୱାରା ତୁମ୍ଭର ଅଭିଳାଷ ପୂର୍ଣ୍ଣ କରାଇବି ।

ମା: କା

-

ନାଗର କହିବାକୁ ଭୟ ହେଉଛି ।

 

 

ନର୍ମଳ-କି କଥା ?

 

ମା: କା

-

ଗୀତ

ମିତ୍ର ସଙ୍ଗେ କରି ପ୍ରୀତି ପାଇନାହିଁ ସୁଖ ଶାନ୍ତି ।

ତବରୂପ ହୃଦେ ଚିନ୍ତି ଅଧୈର୍ଯ୍ୟ କରୁଛି ମାର । ୩ ।

 

 

-

ନାଗର ! ଜାତି ଯାଇଛି କିନ୍ତୁ ପେଟ ପୂରିନାହିଁ । ତୁମ୍ଭ ମଇତ୍ରଙ୍କ ସହିତ ପ୍ରଣୟରେ ମୋର ମନର ଅବସାଦ ନମେଣ୍ଟି ଥିବାରୁ ତୃପ୍ତି ନପାଇ ପୁନରାୟ ଆପଣଙ୍କୁ ସେ କାର୍ଯ୍ୟରେ ଅନୁରୋଧ କରୁଛି ।

ନିର୍ମଳ

-

ଗୀତ

ମିଥ୍ୟା ନ ଭାଷ ସୁନ୍ଦରୀ, ମିତ୍ର ମୋ ନୁହେଁ ସେପରି

ପ୍ରୀତିକଲା ଗୁପ୍ତକରି ଲାଗେ ମନେ ତାଟକା । ୪ ।

 

 

 

ସୁନ୍ଦରି ‘‘ଅସମ୍ଭବ ନବକ୍ତବ୍ୟଂ ବକ୍ତବ୍ୟଂ ଯଦି ସମ୍ଭବ, ଶୀଳା ତରତି ପାନୀୟଂ ଗୀତଂ ଗାୟତି ବାନରାଃ’’ ଅର୍ଥାତ୍‌ ପଥରଟାଏ ପାଣିରେ ଭାଷୁଛି ତହିଁପରେ ମର୍କଟଟାଏ ଗୀତ ଗାଉଛି, ଏହିପରି ଅସମ୍ଭବକୁ କ’ଣ ସମ୍ଭବ ବୋଲି କହୁଛ କି ?

ମା: କା

-

ଗୀତ

ପୁରୁଷ ଅଟେ ଭ୍ରମର ଭମନ୍ତି ନାନା ପୁଷ୍ପର

ଅସମ୍ଭବ ନୁହେଁ ଗୀର ଦେଖନ୍ତୁ (ଏ) ମୁଦ୍ରିକା କାର । ୫ ।

 

 

 

ନାଗର ! ସମ୍ଭବ କି ଅସମ୍ଭବ ଥରେ ଦେଖି ନିଅନ୍ତୁ, ମଇତ୍ର ତୁମ୍ଭର ମୋ ସହିତ ପ୍ରୀତିକରି ସ୍ମରଣ ରଖିବା ନିମନ୍ତେ ଏହି ମୁଦ୍ରିକାଟି ମୋତେ ଅର୍ପଣ କରିଅଛନ୍ତି ।

 

 

ଗୀତ

ଆସ ଆସ ନୃପରାଣ, ଶୀତଳ କର ପରାଣ

ମର୍ମେ ବିନ୍ଧେ କାମବାଣ ବାଳାମଣିର ବିଚାର ।

ଆସ ବନ୍ଧୁ ଅସହ୍ୟ ହେଲାଣି ପ୍ରାଣ ।

 

 

 

ନିର୍ମଳ-ହା ମଇତ୍ର, ତୋର ମୋ ଠାରେ ଏତେ ଛନ୍ଦ, ସୁନ୍ଦରୀ ତୁ ସର୍ବନାଶ କଲୁ ।

 

 

ଗୀତ

କପଟ କରି ମଇତ୍ର ପାପ ପ୍ରେମେ ହେଲା ରତ

ନ ବଳା ମୋତେ କିଞ୍ଚିତ ବାଳିର ଏହି ଭିକ୍ଷା । ୭ ।

 

 

 

ସୁନ୍ଦରୀ ! କ୍ଷମାଦିଅ, ଯାହାକୁ ପତିତ୍ୱରେ ବରଣ କରିଛ, ପ୍ରାଣ ଅର୍ପଣ କରିଛ, ତାକୁ ଚିରଦିନ ନିମିତ୍ତ ତୁମକୁ ସମର୍ପି ଦେଉଛି, କ୍ଷଣେ ଅପେକ୍ଷା କର । ମଇତ୍ର, ମଇତ୍ର ।

 

 

(ମା: କା: ପ୍ରସ୍ଥାନ)

ପ୍ରଭା

-

ମଇତ୍ର, ରାତ୍ର କ’ଣ ଶେଷ ହୋଇଗଲାଣି ।

ନିର୍ମଳ

-

ନା, ରାତ୍ର ଶେଷ ହୋଇନାହିଁ, ମାତ୍ର ତୁମର ଦୁଃଖ ନିଶିଟା ପାହିଗଲାଣି ।

 

-

 

ପ୍ରଭା

-

ମଇତ୍ର, ଆଜି ପୁଣି ଏ କି ଭାଷ, ମୋର କ’ଣ ଦୁଃଖ ନିଶି ପାହିଛି ।

ନିର୍ମଳ

-

(ଗୀତ)

[ଅବତି ଅପା ବୃତେ]

ହେ ମଇତ୍ର, ହୁଡ଼ିଲୁ ବ୍ରତ

ତୋହ ମୋହ ଭାବ ଆଜିଠାରୁ ତୁଟିଲା ।

କାମିନୀ କାଞ୍ଚନ ଦେଖି ହେଲୁ ଭ୍ରମ

କିଞ୍ଚିତେ ମୋହ କଥା ନ କଲୁ ଭଲା ।

 

 

 

ମଇତ୍ର ! ସାମାନ୍ୟ ସ୍ତ୍ରୀର ଚକ୍ରାନ୍ତରେ ପଡ଼ି ମୋତେ ପାଶୋରିଦେଲୁ । ମୁ ତୋହ ଲାଗି ରାଜସିଂହାସନ ଉପେକ୍ଷା କଲି, ମାତ୍ର ତୁ -

ପ୍ରଭା

-

ମଇତ୍ର ! ଏ କି କଥା ମୋର କ’ଣ ମନ ବିଡ଼ୁଛନ୍ତି ନା ଚରିତ୍ର ପରୀକ୍ଷା କରୁଛନ୍ତି । ଏପରି କଳୁଷିତ କଥା ତୁଣ୍ଡକୁ ଆଣନ୍ତୁ ନାହିଁ ।

ନିର୍ମଳ

-

(ଗୀତ)

ତୋହଲାଗି ରାଜଗାଦି       ଦେଲି ଶୃଗାଳେ ସମ୍ପାଦି,

ପିତାରେ ହେଲି ବିବାଦୀ ମୋ କର୍ମେ ଥିଲା ।

ବିଧାତାର ହୁନ୍ଦର             ତୁକି କରନ୍ତୁ ପର,

ଅଭିଶାପ ପିତାର ମୋତେ ପଡ଼ିଲା ।

 

 

 

ମଇତ୍ର ! ତୁମ୍ଭଲାଗି ପିତାମାତା ରାଜ୍ୟ ସମ୍ପଦ ଦାସଦାସୀ ସମସ୍ତ ଛାଡ଼ିଲି, ତୁମ୍ଭେ ପୁଣି ଶେଷରେ ମୋ ଗଳାରେ ଛୁରୀ ଦେଲ । କାହାକୁ କହିବି, ସେ ମୋ ନିଜ ଅର୍ଜିଲା କର୍ମ । ଆଉ ବି ପିତାଙ୍କର ଅଭିଶାପ ।

ପ୍ରଭା

-

ମଇତ୍ର ! ମୁଁ ଦୋଷୀ ନୁହେଁ, ବୃଥାରେ କାହିଁକି ଏତେକଥା ଭାବୁଛ ।

ନିର୍ମଳ

-

(ଗୀତ)

ବେଶ୍ୟା ଫାନ୍ଦେ ପଡ଼ି ହୁଡ଼ି       ଗଲୁ ମିତ୍ର ଭାବ ଏଡ଼ି

ଏଣିକି ଭୁଞ୍ଜରେ ତୋର କର୍ମ ଅର୍ଜିଲା ।

ବାଳକୃଷ୍ଣର ଉକତ             ଅନ୍ତର ହୁଅ ମିତ୍ର

କାହିଁ ପାଇଁ ବିଧାତା ମୋତେ ସୃଜିଲା ।୧।

 

 

 

ମଇତ୍ର ! ଲୋଡ଼ା ଏବେ ନିଜ ପଥ । ଜଣାଗଲା ଏତେଦିନେ ମିତ୍ରତାର ପଣ । ଜାଣ ମିତ୍ର, ତୁମ୍ଭ ଲାଗି ଯାହା ଯାହା ସହ୍ୟ କରିଅଛି କଷ୍ଟ, କିନ୍ତୁ ସେ କଥା ନ ଚିନ୍ତିଲ କ୍ଷଣେ । ଛାର ରମଣୀର ରୂପ କାନ୍ତିରେ ହରାଇଲ ଚିର ବାନ୍ଧବତା । ଅବିଶ୍ୱାସୀ ତୁମ୍ଭେ, ମହାପାପ ତବ ମୁଖାବଲୋକନେ ।

ପ୍ରଭା

-

(ଗୀତ)

(ହେ ମାହୁନ୍ତ-ବୃତ୍ତେ)

ହେ ମଇତ୍ର, ମୁଁ ଏତେ ଛନ୍ଦ ଜାଣେ ନାହିଁଟି

ବୃଥା ଅପବାଦେ ଦ୍ରୋହୀ କର କାହିଁପାଇଁଟି ।୦।

 

 

 

ମଇତ୍ର ! ମୋତେ ବୃଥାରେ ଏ ଦଣ୍ଡ ଲିହୁଛନ୍ତି । କେବେ ମୁହିଁ ଦୋଷୀ ନୁହେଁ ।

 

 

ଗୀତ

ଆଜନ୍ମୁ ମୁଁ ସହଚର ନ ଜାଣ କି ମିତ୍ରବର,

ଆଜି କିମ୍ପା କର ପର ହୃଦ ଦିଏ ଦହିଟି ।୧।

 

 

 

ମଇତ୍ର ! ମୁଁ ପିଲାଦିନୁ ଆପଣଙ୍କର ସାଙ୍ଗ, ଆପଣ କ’ଣ ମୋର ଆଚରଣ ଜାଣିନାହାନ୍ତି ?

ନିର୍ମଳ

-

ଆଚରଣ ଜାଣେ ସତ୍ୟ, କହିଲ ଭଲା ଏ ମୁଦ୍ରିକାଟି କାର, କେଉଁଠାରୁ ମୋତେ ମିଳିଲା ।

ପ୍ରଭା

-

ମଇତ୍ର ! ମୁଦ୍ରିକାଟି ମୋର, ଆପଣଙ୍କ ଶୟନାବସ୍ଥାରେ ଜଣେ ଉନ୍ମାଦିନୀ ରମଣୀ ଆସି ମୋ ନିକଟରେ ପ୍ରେମଭିକ୍ଷା କରୁଥିଲା । ମୁଁ ତା କଥାରେ ସମ୍ମତି ନହେବାରୁ ସେ ମୋର ହସ୍ତଧରି ଜଞ୍ଜାଳ କଲା । ତହୁଁ ମୁଁ ରାକ୍ଷସୀକୁ ଠେଲି ଦେବା ସମୟରେ ସେ ମୋର ମୁଦ୍ରିକାଟି ନେଇଯାଇଛି ।

 

 

ନିର୍ମଳ-ବେଶ ବୁଝିଲିଣି, ଆଉ ଅଧିକେ ପ୍ରୟୋଜନ ନାହିଁ । ସାମାନ୍ୟ ଅବଳାର ବଳ ପୁଣି ପୁରୁଷ ବଳଠାରୁ ଅଧିକ, ଏତ ବଡ଼ ଆଶ୍ଚର୍ଯ୍ୟର କଥା, ମିଥ୍ୟାବାଦୀ ତୁମ୍ଭେ ।

ପ୍ରଭା

-

(ଗୀତ)

ସେ ପାପିଷ୍ଠା ଦୁଷ୍ଟା ଭ୍ରଷ୍ଟା କରୁଥିଲା ପ୍ରୀତି ଚେଷ୍ଟା

ନ କରିବାରୁ ତା କଥା କଣ୍ଟା ହେଲି ମୁହିଁଟି ।୨।

 

 

 

ମଇତ୍ର ! ମୁଁ ସେ ରାକ୍ଷସ କଥାରେ ପ୍ରତିଶ୍ରୁତ ନହେବାରୁ ସେ ଆପଣଙ୍କୁ ଏପରି ଲଗାଇ କହିଛି ।

ନିର୍ମଳ

-

ଆଚ୍ଛା, ତୁମ୍ଭର ସେ ସ୍ତ୍ରୀ ସହିତ ଏତେ ଜଞ୍ଜାଳ ହେଲା, ମୋତେ ନକହିଲ କାହିଁକି ? ନିଶ୍ଚୟ ତୁମ୍ଭେ ଦୋଷୀ ।

ପ୍ରଭା

-

(ଗୀତ)

ନମୁଛି ତବ ପଦରେ ରୋଷ ନ ବହ ଦାସରେ

କେ ଅବା ରହି ସଂସାରେ ବାଳକୃଷ୍ଣ କହି ।

 

 

ଏ କି କଥା ମିତ୍ର ! ଫୁଟିଲା ପଦ୍ମିନୀ କିବା ପର୍ବତ ଶିଖାରେ, ଉଇଁଲେ ପୂର୍ବର ଭାନୁ ପଶ୍ଚିମ ଆକାଶେ, ସ୍ୱର୍ଗ ମର୍ତ୍ତ୍ୟ ପ୍ରଭେଦ କି ହେଲା ଏ ମୁହୂର୍ତ୍ତେ । ବିଡ଼ୁଛନ୍ତି କିବା ମମତା ମୋହର, ନୋହେ ଭଲକଥା, ମଇତ୍ର ! ତୁମ୍ଭର ଏ କଠୋର ବାକ୍ୟ ଶେଳାଘାତ ପ୍ରାୟ ଦହୁଛି ମୋ ହୃଦ । କ୍ଷମାକର ।

ନିର୍ମଳ

-

କେତେ ଦମ୍ଭେ କହୁକଥା । ତୋଷଣଦ ବାକ୍ୟେ ମୁହିଁ ନୁହେଁଟି ସନ୍ତୁଷ୍ଟ । ଅବିଶ୍ୱାସୀ ତୁହି, ତୋହ ପାଶେ ଅଛି ଯାହା ମୁଁ ପ୍ରାଣରେ ଜୀବିତ । ଦଇବ ସହାୟ ନିଶ୍ଚେ ହୋଇଛି ଦାସରେ । ମିଥ୍ୟାବଦୀ କାପୁରୁଷ, ଦର୍ଶନେ ତୋ ମହାପାପ, ଦୂରହୁଅ ପାଷଣ୍ଡ, କାଳସର୍ପ ସଙ୍ଗେ ବାସ ମୃତ୍ୟୁର ଆଶଙ୍କା । (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ପ୍ରଭା

-

(ଗୀତ)

(ନ କାନ୍ଦ ଭାଇରେ-ବୃତ୍ତେ)

ହାଇରେ ମଇତ୍ର ତୋହ ମନେ ଥିଲା ଏହା ରେ ।

ଅଗାଧ ଜଳରେ ବୁଡ଼ାଇଲୁ ଭରା ନାହା ରେ ।

ଆଉ ଯିବି କାହିଁ ।

ତୋ ବିହୁନେ ମୋର ସୁଖ ନାହିଁ । ୧ ।

 

 

 

ମଇତ୍ର ! ତୋତେ ହରାଇ ଆଉ କ’ଣ ଜୀବନର ସୁଖ ଅଛି । କ’ଣ କରିବି ? ରାକ୍ଷସୀ ତୁ କ’ଣ କଲୁ

 

 

(ଗୀତ)

କାଳସର୍ପିଣୀ ପିଶାଚୀ ଛଡ଼ାଇଲୁ ସାହାରେ ।

ଭବ କାରାଗାରେ ମୋତେ ଆଉ ନାହିଁ ରାହାରେ ।

ମିତ୍ର କି କରିବି,

ଗଲା ଜୀବ ତୋ କଥାକୁ ଭାବି ଭାବି । ୨ ।

 

 

 

ମିତ୍ର, ତୁମ୍ଭ ବିନା ଆଉ ବ୍ରହ୍ମାଣ୍ଡରେ ସ୍ଥାନ ନାହିଁ । ରାକ୍ଷସୀ ତୁ କ’ଣ କପଟରେ ଆମ୍ଭର ମିତ୍ରତା ଭାଙ୍ଗିବା ସକାଶେ ଆସିଥିଲୁ ? ବର୍ତ୍ତମାନ କ’ଣ କରିବି ?

 

 

ଗୀତ

ହାତରେ; ନ ମାରି ମିତ୍ର ଭାତେ ମାରୁ ଯାହାରେ ।

ବାଳକୃଷ୍ଣ ବୋଲେ ତୁହି ସାକ୍ଷୀ ଚଉବାହାରେ ।

ଧର୍ମ ସାକ୍ଷୀ ତୁହି ।

ନୁହେଁ କେବେ ମୁହିଁ ମିତ୍ରଦ୍ରୋହୀ । ୩ ।

 

 

 

ମଇତ୍ର, ଏ ପ୍ରାଣ ନନେଇ ହଟହଟା କଲୁ କାହିଁକି ? ଚାଲ ମିତ୍ର, ତୁମ୍ଭର ପଥ ନିଶ୍ଚୟ ଲୋଡ଼ିବି । ଆଉ ଏ ବେଶରେ ପ୍ରୟୋଜନ ନାହିଁ । ଛଦ୍ମବେଶେ ସଙ୍ଗେ ସଙ୍ଗେ ଥିବି ।

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

 

ରାଜା ସୁରସେନ-ମନ୍ତ୍ରୀନ୍‌, ମୋର ଦକ୍ଷିଣ ଚକ୍ଷୁଟା ମୁହୁର୍ମୂହୁ ସ୍ପନ୍ଦିତ ହେଉଛି କାହିଁକି ?

ମନ୍ତ୍ରୀ

-

ମହାରାଜ ! ଏହା ଗୋଟିଏ ଶୁଭ ସଙ୍କୁନ, କାରଣ ଦକ୍ଷିଣାକ୍ଷି ଅଧୋଭାଗେ ସୁଖଲାଭ, ଊର୍ଦ୍ଧ୍ୱେସନ୍‌ମିତ୍ର ଲାଭ, ନେତ୍ରପ୍ରାନ୍ତ ଧନଲାଭ, କୋଣେ ବନ୍ଧୁ ଲାଭ ।

ରାଜା

-

କାହିଁ, ଦୂତ ଏପର୍ଯ୍ୟନ୍ତ ଆସି ନାହି କିମ୍ପା, ମୁର୍ଖ ନିଜକାର୍ଯ୍ୟ ଛାଡ଼ି ରହିଅଛି କାହିଁ ?

ମନ୍ତ୍ରୀ

-

ଯାଇଛି ସେ ନଗର ଭ୍ରମଣେ, ଫେରିନାହିଁ, ଆସୁଥିବ ।

 

-

(ଦୂତ ପ୍ରବେଶ ପୂର୍ବକ ଅଭିବାଦନ)

ରାଜା

-

କହ ଦୂତ ରାଜ୍ୟର ଖବର, କି ନିମନ୍ତେ ଏତେକ୍ଷଣ ଯାଏ ଯାଇଥିଲୁ କାହିଁ ।

ଦୂତ

-

ମହାରାଜ ! ଆପଣଙ୍କର ଜାମାତା ନିର୍ମଳ କୁମାର ଗ୍ରାମ ସୀମାରେ ବସି ଆପଣଙ୍କ ସାକ୍ଷାତ୍‌ ଅପେକ୍ଷା କରୁଛନ୍ତି ।

ରାଜା

-

ଦୂତ ! କିଏ ନିର୍ମଳ ? ସେ କିପରି ଆସି ଉପଗତ ହେଲା, ସଙ୍ଗରେ ତାର ସେହି ମଇତ୍ର ଅଛି ନା ?

ଦୂତ

-

ନା ମହାରାଜ ! ସେ ଯେ ଏକାକି ଉପବିଷ୍ଟ ।

ରାଜା

-

ବୁଝିଲି, ସେ ଯେଉଁ ମଇତ୍ର ନିମିତ୍ତ ରାଜ୍ୟ ସମ୍ପଦ ତ୍ୟାଗକରି ଇତସ୍ତତଃ ପରିଭ୍ରମଣ କରୁଥିଲା, ସେହି ମଇତ୍ରଠାରୁ ବିଚ୍ଛିନ୍ନ ହେବାରୁ ଆମ୍ଭେମାନେ ମନେପଡ଼ିଲୁ ।

 

 

ଗୀତ-(ଆଜି ଯିବି ଶିକାରକୁ-ବୃତ୍ତେ)

ଏ ପାପ ନେତ୍ର ପବିତ୍ର ହେଲାଟି ମୋହର ।

ବହୁ ପୁଣ୍ୟ ଥିଲେ ବନ୍ଧୁ ପ୍ରବେଶେ ଦୁଆର । ୧ ।

 

 

 

ଦୂତ ! ଏ ପାପନେତ୍ର ନିଶ୍ଚୟ ପବିତ୍ର ହେଲା, ନିର୍ମଳ ମୋର ଗୃହକୁ ଆସିବ, ଏହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

 

(ଗୀତ)

ଯାନ ବାହାନେ ବରଣ କରି ଆଣ ସୁତ ।

ବହୁ କାଳୁ ତାର ବିନୁ ଥିଲି ମୁଁ ଚିନ୍ତିତ । ୧ ।

 

 

-

ଦୂତ ! ନିର୍ମଳ ସାଧବ ସୁତ ପ୍ରଭାକର ସହିତ ମିତ୍ରତା ସ୍ଥାପନ କରିବା ଦିନରୁ ସମସ୍ତ ବୈଭବ ତ୍ୟାଗ କରିଥିଲେ, ମାତ୍ର ଆଜି ପୁଣି ତାର ମନ ପରିବର୍ତ୍ତନ ଘଟିଛି । ଏହା ବଡ଼ ଆଶ୍ଚର୍ଯ୍ୟରେ କଥା ।

 

 

(ଗୀତ)

ହୀରା ମଣ୍ଡପରେ ନେଇ ଦିଅରେ ଆସ୍ଥାନ ।

ବାଳି ବୋଲେ ମୋ ଲୀଳାକୁ କର ସମର୍ପଣ ।

 

 

 

ଦୂତବର ! ଅବିଳମ୍ୱେ ଅଶ୍ୱ ଗଜ ସାଜି ଜାମାତାଙ୍କୁ ଆଣରେ ବହନ । ବହୁ କାଳୁ ଚିନ୍ତାକୁଳେ ଚିନ୍ତିତ ଥିଲି ମୁଁ ଅନ୍ତରେ, କିନ୍ତୁ ଆଜି ବଡ଼ ସୁଭାଗ୍ୟ ଦିବସ ଯେ ମୋର ନୟନର ପିତୁଳି ଅଲ୍ୟଳ ଲୀଳାବତୀ ଦାସୀ ସହ ମହାସମାରୋହେ ବନ୍ଦୁ ତାର ପାଦ । ରାଜ୍ୟରେ କର ଘୋଷଣା ଉତ୍ସାହିତ ହୋ

 

 

ନ୍ତୁ ସର୍ବେ ଏ ମଙ୍ଗଳ ଦିନେ ।

 

ଦ୍ୱିତୀୟ ଦୃଶ୍ୟ

( ପ୍ରଭା ଯୋଗ୍ୟ ବେଶେ ପ୍ରବେଶି ଗୀତ )

 

 

( ତୋହରି ଲାଗିରେ-ବୃତ୍ତେ )

ଭଜୁ କିନା ରାମ ନାମ ଭୁଲା ମନ

ଭଜୁ କିନା ରାମ ନାମ

ନ ଭଜି ପାରିଲେ ମୂଢ଼ ମାନବରେ

ବାନ୍ଧି ନେବ କାଳ ଯମ ।୧।

 

 

ହା ବିଧାତା, ମୋର ଏ ଫଟା କପାଳରେ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ଲେଖିଥିଲୁ ।

 

 

ଗୀତ

ଯାହା ଲାଗି ମନ ପ୍ରାଣ ସମର୍ପିଲି

ସେତ କରିଦେଲା ଆନ

ଏ ଅଲୋଡ଼ା ପ୍ରାଣେ କିବା ପ୍ରୟୋଜନ

ଧାତା ତୁ ଦେଇ କଷଣ ।୨।

 

 

 

ହା ବିଧାତା ! ଯାହା ଲାଗି ମନ ପ୍ରାଣ ଅକାତରେ ଢାଳି ଦେଇଥିଲି, ସେ ଆଜି ମୋତେ ଏ ଦୁଃଖ ସାଗରରେ ଭସାଇ ଦେଇ ଚାଲିଗଲା ।

 

 

ଗୀତ

ତୁ ପ୍ରାଣୁ ଅନ୍ତର            କଲୁରେ ମଇତ୍ର

ନ ନେଲୁ ଯାହା ଜୀବନ,

ଧିକ ସେ ବିଧାତା            କରେ ଏତେ ହଟା

ଧିକ ଏ ଜୀବ ଯୌବନ । ୩ ।

 

 

 

କାହାର ଦୋଷ ବାରିବି ? ବିଧାତା ବିପକ୍ଷବେଳେ ସବୁ ଦୁର୍ଯୋଗ ଆସି ଘଟେ ।

 

 

ଗୀତ

କେତେ ଦିନପାଇଁ            ଆସିଛୁ ରେ ଭାଇ

ତାକୁ ନ କଲୁ ସ୍ମରଣ,

ବାଳକୃଷ୍ଣ ବୋଲେ            ନ ବୁଝିଲୁ କାଳେ

ମୂଳରୁ କଲୁ ଛେଦନ । ୪ ।

 

 

 

ମଇତ୍ର ! କିଏ ବା ଏ ମରସଂସାରରୁ କିଛି ନେଇଗଲାଣି ନା ନେଇଯିବ ? ଦିନେ ନିଶ୍ଚୟ ସମସ୍ତେ ସେହି କାଳମୁଖରେ ଯିବେ । ତୁ ଟିକିଏ ମାତ୍ର ସେ କଥା ଭାବିଲୁ ନାହିଁ ? ଥାଉ ସେ କଥା, ମଇତ୍ରର ସନ୍ଧାନ ତ କେଉଁଠାରେ କିଛି ପାଇଲି ନାହିଁ । ଏହି ତ ତାର ଶ୍ୱଶୁର-ରାଜ୍ୟ । ଦେଖାଯାଉ, ଏଠି ଯଦି ସନ୍ଧାନ ମିଳିପାରେ । (କିଛିଦୂର ଯାଇ ସଚକିତେ) ଏ ଜଣେ ଏତେ ରାତ୍ରିରେ ଏ ରାଜନହରର ପାର୍ଶ୍ୱରେ କିଏ ? ଏ ତ ଏକା ନୁହେଁ, ସଙ୍ଗରେ ଜଣେ ନବ ସପ୍ତବୟସୀ ରୂପସୀ । ତାର ଭାବଭଙ୍ଗୀରୁ ବେଶ୍‌ ଅନୁମାନ ହେଉଛି, କେହି ରାଜକନ୍ୟା ହେବ ପରା । ପୁରୁଷଟା ତ ଅତି କୁତ୍ସିତ ! ଏ ବିଷମ ସମସ୍ୟା ବା ଛିଣ୍ଡାଗଣ୍ଡ ରହସ୍ୟ ବିଲୋକିତ ଏଥି ରହି କିଛିକ୍ଷଣ ।

 

 

(ଚଉପାଢ଼ିର ଏକପାର୍ଶ୍ୱରେ ବସିବା)

 

 

(ଏକ ଦିଗରୁ ଲୀଳା, ଅପର ଦିଗରୁ ପଚିଆ ଚଣ୍ଡାଳର, ପ୍ରବେଶ )

 

 

 

ପଚି-କିଏ ରେ ଶଳା, ଏଠି ତୋତେ କିଏ ବସିବାକୁ କହିଲା ? ଉଠ୍‌ ।

ଯୋଗୀ....ଏ.....ମୁଁ....ନାବ....

ପଚି-ଶଳା, ବୋକଡ଼ାଟାଏ, ଆରେ ଉଠ

ଯୋଗୀ-ଖା....ପ....ବା....

ପଚି- ତେମେ ଆସିବଟି, ଏ ଶଳା ପାଗଳ ବୋକା ।

ଲୀଳା-ଏଠି କାହିଁକି ସ ବସିଛି ? ମୋ ମନରେ ଭୟ ଆସୁଛି ।

ପଚି-ଲୀଳା, ସେଟା କିଛି ଜାଣେ ନାହିଁ, ବୋକାଟାଏ ।

ଲୀଳା-ପଚିଆ, ତୋ ମନଟା କାହିଁକି ଶୁଖିଲା ଦେଖାଯାଉଛି ? ମୁଁ କିଛି ବୁଝିପାରୁନାହିଁ ।

 

 

 

ଗୀତ

ପଚି-(ବେଗେ ଯାଅ ଯାଅ, ଦୂତ ଯାଅ-ବୃତ୍ତେ)

ଳୀଳା, ଯେତେ ତୋହ ମୋହ ଭାବ ରେ

ବଣା କରିଦେଲା ଦଇବ

ତୋ କଥାକୁ ଭାବି ଭାବି ରେ ବାନ୍ଧବୀ

ଆଉ କି ଜୀବ ରହିବ ରେ ?

 

 

 

ଲୀଳା ! ତୋର ମୋର ଯେତେଗୁଡ଼ିଏ କଥା ତାକୁ ବିଧାତା ଭାଙ୍ଗିଦେଲା । ଲୀଳା ! ମୁଁ ଚଣ୍ଡାଳ ବୋଲି ଭାବେ, କିନ୍ତୁ ମୁଁ ତୋ ସଙ୍ଗେ ଭାବଲାଭ କଲାଦିନୁ...

ଲୀଳା

-

ପଚିଆ ! ମୁଁ କ’ଣ ତୋତେ ଚଣ୍ଡାଳ ବୋଲି ଭାବେ ?

ଯୋଗୀ

 

-

(ସ୍ୱଗତ) କି ଆଶ୍ଚର୍ଯ୍ୟ କଥା ! ଏ ପୃଥିବୀ କେଉଁ ପାପରେ ପୂର୍ଣ୍ଣ, ମୁଁ ଜାଣିପାରୁନାହିଁ । ଚଣ୍ଡାଳ ସହିତ ରାଜଜେମାର ଭାବ ! ଦେଖାଯାଉ...

ପଚି

-

ଏ ଶଳା କ’ଣଗୁଡ଼ାଏ ଅବତରୁଛୁ ହେ, ତୁ ଉଠ୍‌, ମୁଁ କହୁଛି ଉଠ୍‌ ।

 

-

ଯୋଗୀ....ମ...ଆ...ସ.....କ-

ପଚି

 

(ଗୀତ)

କେତେ ଲଡ଼ୁ ପୁରି କାକରା

ଆଣି ଦେଉଥିଲୁ ତୁ ପରା

ଶତେ ଜନ୍ମେ କି ଆଉ ପାଇବି । ୧ ।

 

 

-

ଲୀଳା ! ଯେଉଁ ଘିଅପଚପଚିଆ କାକରା, ଅମାଲୁ, ଠୁଙ୍କା ପୁରି, ପୁଣି ମଗଜଲଡ଼ୁ ଦେଉଥିଲୁ ମୁଁ ଭଲା ମରି ମାଟିଭିତରେ ପଶିଲେ ଆଉ ପାଇପାରିବି !

ଲୀଳା

-

ପଚିଆ, ବର୍ତ୍ତମାନ କ’ଣ ହୋଇଛି କି ? ତୋ ମନ ବାରଆଡ଼କୁ ଯାଉଛି କାହିଁକି ମ ?

ପଚି

-

ଗୀତ

ତୋ ପୀରତି ମୋ ହୃଦେ ଚିନ୍ତି

ବକ୍ଷ ମୋର ଯାଉଛି ଫାଟି

ଏ ଦାରୁଣ ଜ୍ୱାଳା କେ ସହିବରେ । ୨ ।

 

 

 

ଲୀଳା ! ତୁ ଯେଉଁ ପ୍ରେମରେ ମୋତେ ବସାଇଦେଇଛୁ, ମୁଁ ବି ଯେଉଁ ଅୟସ କରିଯାଇଛି, ସେ କଥା ଭାବିଲାବେଳକୁ ଏ ପ୍ରାଣଟା କ’ଣ ହୋଇଯାଉଛି ।

ଲୀଳା

-

ପଚିଆ, ସେକଥା କୁଆଡ଼େ ଗଲା କି ?

ପଚି

-

ଗୀତ

ଆସିଲେଣି ତୋ ପ୍ରାଣେଶ୍ୱର

ତାଙ୍କୁ ଘେନି କରିବୁ ଘର ।

ବାଳାମଣି, ମନ କେ ମୋହିବ । ୩ ।

 

 

 

ଲୀଳା ! ଆଜି ଯେତେବେଳେ ତୋର ସ୍ୱାମୀ ଆସିଲେଣି ସତେ କ’ଣ ଆଉ ତୁ ଏ ସାମାନ୍ୟ ଚଣ୍ଡାଳକୁ ପଚାରିବୁ ? ଲୀଳା ! ମୋତେ ହେଲେ ଟିକିଏ ଜହର ଦେ, ମୁଁ ଖାଇଦେଇ ମରିଯାଏ । ତୋ ସହିତ ପ୍ରେମାଳାପ କରିବା ପ୍ରାୟ ପାଞ୍ଚବର୍ଷ ହେଲା । ସେ ଦିନଠାରୁ ମୁଁ ଯାହା କି ସୁଖ ଉପଭୋଗ କରିଯାଇଥିଲି, ଆଜି ବିଧାତା ସେସବୁ ଭାଙ୍ଗିଦେଲା ।

ଲୀଳା

-

ପଚିଆ ! ଯେତେବେଳେ ମୁଁ ବିରହାନଳରେ ଭସ୍ମ ହୋଇଯାଇଥିଲି, ସେ ସମୟରେ ତୁ ତୋର ପ୍ରେମବାରି ସେଚନେ ମୋର ତାପିତ ହୃଦୟକୁ ଶୀତଳ କରିଛୁ । ସେ ତ ବାରବର୍ଷ ହେଲା ମୋତେ ପାଶୋରିଦେଇ ଗୋଟିଏ ସାଧବ ସୁତ ସହିତ ମିତ୍ରତା ସ୍ଥାପନ କରି ମୋତେ ଆଦୌ ପଚାରି ନାହାନ୍ତି । ଆଜି ଗୃହକୁ ଆସିଛନ୍ତି ବୋଲି କ’ଣ ମୁଁ ତାଙ୍କର ? ଏହା କେଭେ ନୁହେଁ, ତୁହି କେବଳ ମୋହର ଜୀବନର ଆଶାତରୀ ।

ଯୋଗୀ

 

-

(ସ୍ୱଗତ) ଆଉ ସନ୍ଦେହର କାରଣ ନାହିଁ, ଏ ନିଶ୍ଚୟ ମଇତ୍ରର ସ୍ତ୍ରୀ ।

ପଚି-ପୁଣି ତ ଶଳା କ’ଣଗୁଡ଼ାଏ ବକ ବକ ହେଉଛି, ଶଳାଟି, ଏ ଠେଙ୍ଗାକୁ ଅନେଇଥା ।

ଲୀଳା

-

 

ଗୀତ

(ଭକ୍ତ ମୋର ବୃତ୍ତେ)

ତୁହି ମୋର ଜୀବନ,       ତୁହି ମନ ମୋହନ

ତୋହଠାରୁ ଅଧିକ,            ନୋହେ ମୋ ପ୍ରାଣାଧିକ

କିପାଁ ତୁ ରେ ବିମୁଖ,       ହେଉ ରେ ସ୍ନେହାଧିକ

ତୁହି ହୃଦଚନ୍ଦନ । ୧ ।

 

 

 

ପଚିଆ ! ବାରଆଡ଼ୁ ବାର କଥା ମନରେ ଭାବୁଛୁ; କିନ୍ତୁ ତୋହ ଛଡ଼ା ମୋର ଆଉ କେହି ନାହିଁ ।

ପଚି

 

-

କେ ଜାଣି, ମୋତେ ତ ବିଶ୍ୱାସ ହେଉନାହିଁ, କାଲି ନିର୍ମଳ ବାବୁ ପହଞ୍ଚିଲାବେଳରୁ ମୋ ରକ୍ତ ଶୁଖିଯାଇଛି ।

ଲୀଳା

-

ଗୀତ

ତୋ ବିନୁ ନାହିଁ ଆନ       କି ପତି କିବା ଧନ

ବାନ୍ଧିଛି ତୋହ ପ୍ରେମ      ଏ ଜୀବ ଆଜୀବନ

ତୁହି ଗଳାରତନ । ୨ ।

 

 

 

ପଚିଆ ! ତୁହି ମୋର ଜୀବନର ସର୍ବସ୍ୱ । ତୋଠାରେ ମୋର କିପରି ସ୍ନେହ, ଯଦି କୁହନ୍ତୁ, ହୃଦୟ ଚିରି ଦେଖାଇବାର ହୋଇଥିଲେ ଦେଖାଇ ଦେଇଥାନ୍ତି ।

 

 

ଗୀତ

ନିଦ୍ରା ଆବେଶେ କାନ୍ତ       ଶୋଇଛନ୍ତି ନିଶ୍ଚିତ

ଗୁପ୍ତେ ମୁଁ ପ୍ରାଣେ ହତ       କରି ରଖିବି ବ୍ରତ

ନୁହ ତୁ ରେ ବିମନ । ୩ ।

 

 

-

ପଚିଆ ! ତୁ ଭାବନା କରିବାର ଆବଶ୍ୟକ କ’ଣ ? ମୁଁ ନିଶ୍ଚୟ ଆଜ ରାତ୍ରମଧ୍ୟରେ ତାଙ୍କର ବିନାଶର ଚେଷ୍ଟା କରିବି ।

ଯୋଗୀ

-

ଓହୋ କ’ଣ ଶୁଣିଲି ରାକ୍ଷସୀ କ’ଣ କରିବୁ ? ମଇତ୍ର, ତୋର ଏହି ଦୁର୍ଦ୍ଦଶା ଦେଖିବାକୁ କ’ଣ ଏଠାକୁ ଆସିଥିଲି ?

ପଚିଆ

-

ଶଳା, କ’ଣ ହେଉଛୁ ହେଉଥା ।

ଲୀଳା

-

ଗୀତ

ଯାହାଲାଗି ଭାବନା       ତାକୁ କରିବି ଚୂନା

ନ କର ତୁ ଭାବନା             ପୂର୍ଣ୍ଣ ହେବ କାମନା

ବାଳାମଣିର ରତନ । ୪ ।

 

 

 

ପ୍ରାଣାଧିକ ଚଣ୍ଡାଳ ! ତୋହ ପ୍ରେମ ବାନ୍ଧିଅଛି ମୋତେ । ଆଜି ପ୍ରାଣନାଥ ଅଛନ୍ତି ମନ୍ଦିରେ ବୋଲି ଭୁଲି ନାହିଁ ତୋ ପ୍ରେମର କଥା । ଆସିଅଛି ସେହି ଅନ୍ୱେଷଣେ, ନ ହୁଅ ଚିନ୍ତିତ ବନ୍ଧୁ ! ଏହି ଦେଖ, ଛୁରିକା ମୋ ହସ୍ତେ । ବିଦୀର୍ଣ୍ଣ କରିବି ନିଶ୍ଚେ

କାନ୍ତ

-

ବକ୍ଷ ମୋର ।

ପଚି-

 

-

ବାଃ ବାଃ, ମୁଁ ତ ସେଇଆ ଚାହେଁ । ମୁଁ ଭାବିଥିଲି ଏ ସ୍ୱାମୀକି ପାଇ ମୋତେ ଆଉ ପଚାରିବ ନାହିଁ । ମୁଁ ଯେ ଚଣ୍ଡାଳୁଣୀଟାକୁ ଚିର ବିଦାୟ ଦେଇଛି, ସେଥିନିମିତ୍ତ ବଡ଼ ଭାବନାରେ ପଡ଼ିବାକୁ ପଡ଼ୁଥିଲା । ଏ ମିଠା ଛାଡ଼ି ଖଟା ଖାଇାବକୁ ମନଟା ଭଲ ହେଉନଥିଲା । ଯେ ଆବାଲ୍ୟରୁ ଦିବ୍ୟ ସରୁ ଅନ୍ନମୁଠାକୁ ଖାଇଆସିଛି ବା ଲମ୍ୱ ସରୁଲୁଗା ଖଣ୍ଡେ ପିନ୍ଧି ଆସିଛି, ସେ କି ଆଉ ଏଦିନେ ମୋଟକୁ ଯାଏ । କଥାଟାଏ କହିଲୁ ଏକା ମନକୁ ପାଇଲା । ନିଷ୍ପତ୍ତିରେ କଥା, ତୁମ୍ଭେ ଖାଲି ମାମଲତ ହଲାର କଲେ ଆମେ ଖଲାସ କରିଦେବା । ଏ ଶଳା ଯୋଗୀଟା କାହିଁକି ନଙ୍ଗରପଙ୍ଗର ହେଉଛି, ନାଇଁ ମ ଶଳାଟି କାଲ । ଲୀଳା, ଆଜି କିଛି....

ଲୀଳା

-

ପଚିଆ ବର୍ତ୍ତମାନ ନୁହେଁ, ଚାଲ ସେ କଥା ଆଗ ବୁଝିବା ।

ଯୋଗୀ

-

ଧନ୍ୟରେ ରମଣୀ ! ତୁ କାଳସର୍ପିଣୀ, ଧିକ୍‌ ତୋର ପ୍ରୀତିର ଲାଳସା । ହୋଇ ରାଜକୁଳବତୀ ଚଣ୍ଡାଳରେ ହେଲୁ ପ୍ରେମାସକ୍ତ । ପାପିନି ! ପ୍ରତିଜ୍ଞା କରିଛୁ ଆଜି ପ୍ରାଣେ ହତ କରିବୁ ମଇତ୍ର । ହାଇରେ ଦଇବ ! ତୋର କ’ଣ ଏହି ବୁଝାମଣା ? ନିର୍ଦ୍ଦୋଷରେ ଲିହୁ କିପାଁ ଏତେ ଦଣ୍ଡ । ଓହୋ ! ବିଦୀର୍ଣ୍ଣ ନହୋଇ କିପାଁ ବହିଛୁ ପରାଣ, ଶୁଣିବୁ କି ମଇତ୍ରର ହତ ? ଯାଇ ଦେଖେ, କି କରେ ପାଷାଣ୍ଡ !

 

ତୃତୀୟ ଦୃଶ୍ୟ

ନିର୍ମଳ-

-

ଏହି ଗୋଟାକ ତ ଶୟନାଗାର, କାହିଁ କେହି ତ ଦେଖାନାହାନ୍ତି ! ପ୍ରେୟସୀ ପ୍ରାୟ ଅଭିମାନ କରିଥିବେ, କାରଣ, ବାରବର୍ଷ ହେଲା ବିବାହ ହୋଇ ସେ ପାଷାଣ୍ଡ ମଇତ୍ର ସଙ୍ଗ ପାଇ ଏକାବେଳେକେ ପାଶୋରି ପକାଇଥିଲି । ଆଜି କାହିଁକି ସେହି ପାଷାଣ୍ଡ ମଇତ୍ରର ରୂପଟା ଚକ୍ଷୁ ଆଗରେ ନାଚୁଛି ! ଏ କ’ଣ, ହଠାତ୍‌ ଦେହଟା ଉଲସିଉଠିଲା କାହିଁକି ? କି ଆଶ୍ଚର୍ଯ୍ୟ କଥା ! ମନୁଷ୍ୟର ପ୍ରତିବିମ୍ୱ ଦର୍ପଣରେ ଦେଖାଯାଏ ବର୍ତ୍ତମାନ ଯେଉଁଦିଗକୁ ଚାହୁଁଛି, ସେଠାରେ ମୋର ନିଜ ଛବି ପ୍ରତିଫଳିତ ହେଉଛି, ଏ ତ ମୃତ୍ୟୁର ପୂର୍ବ ଲକ୍ଷଣର ଆଭାସ, ନା, ମୁଁ ଭ୍ରମରେ ପଡ଼ିଛି ।

ଯୋଗୀ-

 

-

ଭ୍ରମ ନୁହେଁ ରାଜପୁତ୍ର, ପ୍ରକୃତ ମୃତ୍ୟୁର ଆଶଙ୍କା । ସାରାରାତି ଜାଗ୍ରତ ରୁହ । ଚକ୍ଷୁର ପଲକରେ ନିଦ୍ରାକୁ ଆଶ୍ରୟ ଦିଅ ନାହିଁ ।

ନିର୍ମଳ

-

ଏ କିଏ, କ’ଣ କହିଲା ? ନା, ଏ ଶୂନ୍ୟ ଘରର ପ୍ରତିଧ୍ୱନି ! ଆଚ୍ଛା, ଏ ପଲଙ୍କରେ ବିଶ୍ରାମ ନେବି ।

ଯୋଗୀ

-

କି ଉପାୟ କରିବି ? ମଇତ୍ର ତ ନିଦ୍ରାସକ୍ତ ହେଲେଣି ? ବର୍ତ୍ତମାନ ତ ରାକ୍ଷସୀ ଆସି ନିଜ କାର୍ଯ୍ୟ ସାଧନ କରିବ । ଏଇ ଆସିଲା ପରା !

 

-

(ଲୀଳା ଓ ଚଣ୍ଡାଳର ପ୍ରବେଶ)

ଯୋଗୀ

-

ଭଗବାନ୍‌ !

ଲୀଳା

-

ପଚିଆ, କିଏ ଗୋଟାଏ ?

ପଚିଆ

-

ଆଚ୍ଛା, ମୁଁ ଦେଖେ । ହେ, ତୁ କିଏ ?

ଯୋଗୀ

-

ମୁଁ.....ଅ....ଟ...

ପଚିଆ

-

ଲୀଳା ! ସେଇ ଶଳାଟି ଦରଜା ପାଖ ପିଣ୍ଡାରେ ଶୋଇଛି ।

ଲୀଳା

-

କିଏ ?

ପଚିଆ

-

ସେ ଶଳା କାଲଟା, ଯାହାକୁ ପଛେ ଦେଖଥିଲେ । ତମ କାର୍ଯ୍ୟ ତୁମ୍ଭେ କର, ମୁଁ ବାହାରେ ରହୁଛି । ଦରଜାଟା ଖୋଲା ରଖିଥାଅ । ତେମେ ଚୋଟ ଦେଲେ ଆମେ ଖଲାସ କରିବା କଥା ।

ଲୀଳା

-

ପଚିଆ ! ମୋତେ କାହିଁକି ସେ ଘରଭିତରକୁ ଯିବାକୁ ଭୟ ଲାଗୁଛି । ତୁ ଟିକିଏ ମୋ ସାଙ୍ଗରେ ଚାଲ୍‌ ।

ପଚିଆ

-

ମୁଁ ପୁଣି କାହିଁକି ଯିବି ? ହଉ ଚାଲ, ହେମତ ଦେବି ।

 

-

(ଗୃହମଧ୍ୟରେ ପ୍ରବେଶ)

ଯୋଗୀ

-

ମଇତ୍ର ! ହୁସିଆର୍‌ ।

ଲୀଳା

-

ଏଁ, କିଏ ?

ପଚିଆ

-

କାହିଁ ? (ଇତସ୍ତତଃ ନିରୀକ୍ଷଣ କରି) ଲୀଳା ! ଶଳା ଯୋଗୀଟା ଶୋଇକରି ସେପରି ହେଉଛି, ତେମେ ଚାଲ ।

ଲୀଳା

-

ପଚିଆ ! ତୁ ଟିକିଏ ମୋ ହାତକୁ ଧର । ମୋ ହାତ ଥରୁଛି ।

ଯୋଗୀ

-

କ’ଣ କରିବି ? ରାକ୍ଷସୀ ! ଚଣ୍ଡାଳ କଥାରେ ପଡ଼ି ତୋର ସ୍ୱାମୀକୁ ଚିହ୍ନପାରୁନାହୁଁ ।

ଲୀଳା

-

କିଏ, କିଏ ?

ପଚିଆ

-

ସେଇ ଶଳାଟି ହେ ସେଇ ଶଳାଟି । ତୁମ୍ଭେ ଏପରି ହେଲେ ମୁଁ ଯାଉଛି ।

ଲୀଳା

-

(ଛୁରୀ ମାରି ବାହୁଡ଼ିବାସମୟେ ଯୋଗୀ ଲୀଳା ହସ୍ତକୁ ଧରି) ରାକ୍ଷସୀ, କ’ଣ କଲୁ?

 

-

(ପଚିଆର ପଳାୟନ)

ଯୋଗୀ

-

ଗୀତ

(ପ୍ରାଣ ଗଲା ରେ-ବୃତ୍ତେ)

ଆଲୋ ଲୋ ପାପିଷ୍ଠା ଭ୍ରଷ୍ଟା ଏ କି କାଣ୍ଡ କଲୁ ଲୋ ।

କିବା ଦୋଷେ ମୋ ମଇତ୍ର ଏତେ ଦଣ୍ଡ ଦେଲୁ ଲୋ ।

 

 

 

ରାକ୍ଷସୀ ? ତୁ ମୋ ମଇତ୍ରକୁ ମାରିଦେଲୁ ? ପାଷାଣ୍ଡୀ ! ତୋର ସେ କି ଦୋଷ କରିଥିଲା ?

 

 

ଗୀତ

ଦୁର୍ଦ୍ଦଣ୍ଡୀ ପାଷାଣ୍ଡୀ ଚଣ୍ଡାଳରେ ମତ୍ତ ହେଲୁ ରେ ।

ବ୍ରାହ୍ମାଣ୍ଡବିଜୟୀ ରାଜପୁତ୍ରେ ନ ଚାହିଁଲୁ ରେ । ୧ ।

 

 

 

ପାଷାଣ୍ଡୀ ! ଚଣ୍ଡାଳ କଥାରେ ପଡ଼ି ତୋର ସ୍ୱାମୀକୁ ନିଧନ କଲୁ? ହା ମଇତ୍ର ! ମୋତେ ଏହି ଦୃଶ୍ୟ ଦେଖାଇବାକୁ କ’ଣ ଏଠାକୁ ଆସିଥିଲୁ ?

 

 

ଗୀତ

ହାଇ ରେ ମଇତ୍ର ମଲୁ

ମୋତେ ଯା ନ ନେଲୁ ରେ ।

ବାଳାମଣୀ ବୋଲେ ପ୍ରାଣ

କାଳହସ୍ତେ ଦେଲୁ ରେ ।୨।

 

 

-

ମଇତ୍ର ! ତୁ ମଲୁ, ମୋତେ ସଙ୍ଗରେ ନନେଲୁ କାହିଁକି ? କ’ଣ କରିବି ?

ଲୀଳା

-

କିଏ କେଉଁଠାରେ ଅଛ ରକ୍ଷା କର ରକ୍ଷା କର ।

 

 

(ସୁରସେନ ଦୂତର ପ୍ରବେଶ)

ରାଜା

-

ଦୂତ, ଏ କି ଶବ୍ଦ, କର ରେ ସନ୍ଧାନ କିଏ କେଉଁ ବିପଦରେ ପଡ଼ି ହେଉଛି କାତର ?

 

 

(ଦୂତ ଦେଖ ପୁନଃ ପ୍ରବେଶ)

ଦୂତ

-

ମହାରାଜ, ସର୍ବନାଶ !

ରାଜା

-

କ’ଣ ସର୍ବନାଶ

ଦୂତ

-

ହୀରାମଣ୍ଡପରେ ଛାମୁଙ୍କ ଜୁଆଇଁକୁ କିଏ ହାଣିଦେଇଛି । ଜେମାଦେଈ କାନ୍ଦି କାନ୍ଦି ଗଡ଼ୁଛନ୍ତି ।

ରାଜା

-

ଆଁ, ସତ୍ୟ କି ଏ କଥା ? ଚାଲ ବେଗେ ଦେଖେ କି ଆଶ୍ଚର୍ଯ୍ୟ କଥା !

 

-

( ହୀରାମଣ୍ଡପରେ ରାଜା ପ୍ରବେଶ )

ଲୀଳା

-

ପିତା, ପିତା ! ଏ ହତଭାଗିନୀର ଆଶା-ଭରସା ସବୁ ଲୋପ ପାଇଲା ।

ରାଜା

-

କହ ଲୀଳା ଅଧୈର୍ଯ୍ୟ ହେଉଛୁ କିପାଁ ? ଦୂତ ! ନିର୍ମଳ କାହାର କ’ଣ କରିଥିଲା ଯେ, ତାକୁ ଏ ଦଶା ବିହିଲା ।

 

-

 

ଦୂତ

-

ଆପଣ ଜେମାକୁ ପଚାରନ୍ତୁ ।

ଲୀଳା

-

ଗୀତ

(ଆହା ମୋର ସାରଦିଆ-ବୃତ୍ତେ)

କି କହିବି ପିଅର ମୋ କରମ କଥା ।

କହିଲାବେଳକୁ ଭ୍ରମି ଯାଉଛି ମଥା ।୦।

 

 

 

ପିତା ! ସେ କଥା କହିଲାବେଳେ ମୋର ମସ୍ତକ ଘୁରିଯାଉଛି., ବକ୍ଷ ଶତଧା ବିଦୀର୍ଣ୍ଣ ହେଉଛି । ମୋ କର୍ମରେ କ’ଣ ଧାତା ଏଇଆ ଲେଖିଥିଲା ?

 

 

ଗୀତ

ଜନ୍ମକାଳେ ଗଳେ ଖୁର

ନ ଦେଲ କିଆଁ ପିଅର

କରେ ମୋତେ ନାରଖାର ମନ୍ଦ ବିଧାତା । ୧ ।

 

 

 

ପିତା, ଜନ୍ମକାଳରେ ମୋ ଗଳାରେ ଖୁର ଦେଇଥିଲେ ବର୍ତ୍ତମାନ ଏ ହଟହଟାରେ ପଡ଼ିନଥାନ୍ତି ।

ରାଜା

-

ଲୀଳା, କହ କିଏ ଏପରି କାଣ୍ଡ କଲା ? ଦୂତ ! ନିର୍ମଳ କ’ଣ ଏଇ ଦୃଶ୍ୟ ଦେଖାଇବାକୁ ମୋ ଗୃହକୁ ଆସିଥିଲା ? ଲୀଳା, କହ କାହାଦ୍ୱାରା ଏ କାଣ୍ଡ ଘଟିଛି ?

 

 

 

ଗୀତ

କାହୁଁ ଆସି ଏ ନୃଶଂସ ମୋ କାନ୍ତକୁ କଲା ଧ୍ୱଂସ

ଲଭିବ କେଉଁ ପୌରୁଷ ବାଳିର ଚିନ୍ତା । ୨ ।

 

 

 

ପିତା, ଏହି ଦୁର୍ଦ୍ଦଣ୍ଡ ଯୋଗୀଟା କାହିଁକି ଦ୍ୱାରଦେଶରେ ବସିଥିଲା, ମୁଁ ବାହାରକୁ ଯିବାସମୟରେ ଘରମଧ୍ୟକୁ ପଶି ଆସି ପ୍ରାଣନାଥଙ୍କୁ ମାରି ମୋତେ ନେବାକୁ ବଳାତ୍କାର କରୁଛି ।

ପ୍ରଭା

-

ମଇତ୍ର, ତୁ ସିନା ସଙ୍ଗରେ ନନେଇ ଏକା କରି ଚାଲିଗଲୁ, ମାତ୍ର ତୋ ନିକଟ ଯିବାର ବାଟ ଫିଟୁଛି ।

ରାଜା

-

ଲୀଳା ! ଏହି ମୁର୍ଖ ଘଟାଇଛି ଦ୍ୱନ୍ଦ୍ୱ ? ରେ ବର୍ବର ଭଣ୍ଡ ତପସ୍ୱୀ, ତୋର ଏଡ଼େ ବଡ଼ ଆସ୍ପର୍ଦ୍ଧା ? ତୁ ଶୃଗାଳ ହୋଇ ସିଂହ- ଗହ୍ୱରରେ ପଶି ଏତେ କାଣ୍ଡ ଲାଗାଇଦେଇଛୁ । ଦୂତ, ବାନ୍ଧ ଶୀଘ୍ରେ ଏ ପାଷାଣ୍ଡେ ।

 

 

ଗୀତ

(କହ ଦୂତ-ବୃତ୍ତେ)

କାହୁଁ ଆସିଲା ଏ ଦୋଷୀ ଭଣ୍ଡ ପାଷାଣ୍ଡଟା ।

ଦଣ୍ଡକ ମାତ୍ରେ ବିଧ୍ୱଂସିଦେଲା ଜ୍ୱାଇଁମୁଣ୍ଡଟା । ୧ ।

 

 

 

ଦୂତ, ଏ ମୂର୍ଖ କ୍ଷଣକ ମଧ୍ୟରେ କି କାଣ୍ଡ କରି ନଦେଲା !

 

 

ଗୀତ

ଦୁର୍ଦ୍ଦଣ୍ଡ ପିଣ୍ଡକୁ ନେଇ

ଦଣ୍ଡାରେ ଦିଅ ଭସାଇ ।

ହଣ୍ଡା ଥରିଉଠେ ମୋର

କଲା କେଡ଼େ କାଣ୍ଡଟା । ୨ ।

 

 

-

ଦୂତ, ପାଷାଣ୍ଡକୁ ବର୍ତ୍ତମାନ ଶୂଳି ସ୍ଥାନକୁ ନେଇ ୟା ମସ୍ତକ ଛେଦନ କର।

ପ୍ରଭା

-

ମହାରାଜ ! ଅବିଚାରେ ଦେଉଛନ୍ତି ଏ ଅଧୀନେ ଦଣ୍ଡ । ନୁହେଁ କେବେ ଦୋଷୀ ମୁହିଁ ।

ରାଜା

-

ପାଷାଣ୍ଡ, ତୋର ଆପତ୍ତି ଶୁଣିବାକୁ ଚାହେନା,

 

 

ଗୀତ

ବିଳମ୍ୱ ନ କରି ଦଣ୍ଡେ

ଦଣ୍ଡୁଆସି ଡାକି ଚାଣ୍ଡେ ।

ବାଳକୃଷ୍ଣ ବୋଲେ ଭାଣ୍ଡେ

କାଟିଦିଅ ଷଣ୍ଢାଟା । ୩ ।

 

 

 

ଦୂତ ! ଡାକ ଶୀଘ୍ର ଘାତୁକକୁ, ବିଳମ୍ୱ ନକରି ନେଉ ଶୂଳିସ୍ଥାନେ । ଲୀଳା ! ଯା ତୁହି ଘରେ, କର୍ମ କଥା କହିବା କାହାକୁ ! ଦୂତ ! ଜାମାତାପିଣ୍ଡକୁ ସୁଗନ୍ଧ ଚନ୍ଦନ ଆଣି ସତ୍କାରର ବ୍ୟବସ୍ଥା ଶୀଘ୍ର କର ।

 

 

( ଘାତୁକ ପ୍ରବେଶ )

ରାଜା

-

-ଘାତୁକ, ହନ୍ତାମଣ୍ଡପକୁ ଏ ପାଷାଣ୍ଡକୁ ନେଇ ଶୂଳି ଦେ ।

ଘାତୁକ

-

-ଯେ ଆଜ୍ଞା ମହାରାଜ ! ଚାଲ ମୂର୍ଖ !

ପ୍ରଭା

-

-ହା ବିଧାତା, ବିନା ମେଘେ ବଜ୍ରର ପତନ । ଭଗବାନ୍‌ ! ଏ ଅଧମପ୍ରତି ଆପଣଙ୍କର ଟିକିଏ ମାତ୍ର ଦୟା ନାହିଁ ? କ’ଣ କରିବି, ରକ୍ଷା ଆଉ ନାହିଁ ମୋତେ ।

 

 

ଗୀତ- ଦୟାମୟ ହେ ବୃତ୍ତେ

ଦୀନ ବାନ୍ଧବ ହେ ଦୟା ତବ ନାହିଁ କି ଦୀନେ ।

ଏ ଭବବନ୍ଧନେ ପଡ଼ି ଗଡ଼ି ମରେ କଷଣେ । ୧ ।

କରୁଣାସିନ୍ଧୁ କରୁଣା ମୋରେ କାହିଁକି ଊଣା ।

ସବାଧୀନ ମୁଁ ତୋ କିଣା ସ୍ଥାନ ଦିଅ ଚରଣେ । ୨ ।

 

 

 

ଦୟାନିଧି, ଦୟାପଦ ନାହିଁ କି ତୁମ୍ଭର, ଦୟାନିଧି, ନାମ କ’ଣ ବୃଥାରେ ବହିଛ ? ଏ ବିପଦବେଳେ ଟିକେମାତ୍ର ଭରସା ହେଉନାହାନ୍ତି !

 

 

ଗୀତ

ଭକତ-ବତ୍ସଳ ଉଡ଼ୁଛି ଜଗତେ କି ନା ।

ମୋ ବେଳେ ହୁଅ ବିମନା ଦଣ୍ଡିବ କି ଶମନେ । ୩ ।

 

 

 

ଭଗବାନ୍‌, ମୋ ବେଳକୁ କ’ଣ ନିଷ୍ଠୁର ହୋଇଗଲ, ଏ ଚଣ୍ଡାଳ ହସ୍ତରେ କ’ଣ ଜୀବନ ଯିବ ?

 

 

ଗୀତ

ତୁ ଅନାଦି ଆଦିକନ୍ଦ କେ ବର୍ଣ୍ଣିପାରିବ ଭେଦ ।

ଆଶ୍ରା ଦିଅ ପଦ୍ମପାଦେ ବାଳକୃଷ୍ଣ କରଣେ । ୪ ।

 

 

 

ପ୍ରଭୋ ! ମରିବାକୁ କିଛି ଚିନ୍ତା ନାହିଁ; କିନ୍ତୁ ଯେପରି ଶମନ-ଦଣ୍ଡରୁ ରକ୍ଷା ପାଇବି ଏହି ମାତ୍ର ପ୍ରାର୍ଥନା । ଚାଲ ଘାତୁକ

ଘାତୁକ

 

-

ଚାଲ ଭଣ୍ଡ ! ତାପସବେଶ ଧାରଣ କରି ଏ ଜଘନ୍ୟ କାର୍ଯ୍ୟ, ତହିଁରେ ପୁଣି ଏତେ ଅବଲୟ ? ମୁର୍ଖ ! ଭିକ୍ଷା କରି ଦିନ ନେଉଥିଲୁ, ଏ ବୁଦ୍ଧି ଭଲା କାହିଁକି କଲୁ ? ଏବେ ସଇଲା, ଚାଲ, ଚାଲ ।

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

( ଘାତୁକ ଦୂତ, ପ୍ରଭା )

ଘାତୁକ

-

ଦୂତ ! ତୁ ଏଠାରେ ବସ, ମୁଁ ମୋର କାର୍ଯ୍ୟ କରୁଛି । ରେ ମୂର୍ଖ, ମରିବାନିମନ୍ତେ ଅଗ୍ରସର ହୁଅ ।

ପ୍ରଭା

-

ଘାତୁକ ! ନିଶ୍ଚୟ କ’ଣ ମୋତେ ମାରିବୁ ? ମୁଁ ନିର୍ଦ୍ଦୋଷ ।

ଘାତୁକ

-

ତୁ ନିର୍ଦ୍ଦୋଷ ହୁଅ ବା ଦୋଷୀ ହୁଅ, ସେ ବିଚାର କ’ଣ ମୋଠାରେ ଅଛି ? ମୁଁ ଆଜ୍ଞାକାରୀ ଭୃତ୍ୟ ମାତ୍ର, ଯାହା ଆଜ୍ଞା ପାଇବି, ତାହା ନିଶ୍ଚୟ ପାଳନ କରିବି ।

 

 

ଗୀତ

(ପ୍ରାଣସଙ୍ଗିନୀ-ବୃତ୍ତେ)

ଆଜି ଭବରଙ୍ଗ-ଲୀଳା-ଖେଳ ସରିଲା ।

ଭବକର୍ଣ୍ଣଧାର ହେ କରୁଣା କର ।

ଶରଣଜନେ କି ଦୟା ନୋହିଲା ?

 

ପ୍ରଭା

-

ପ୍ରଭୋ ! ଏ ଅଭାଗାପ୍ରତି ଏକାବେଳେକେ ପାଷାଣ ପାଲଟିଗଲ । ଘାତୁକ ! ମୁଁ ଦୋଷୀ ନୁହେଁ । ମୋର ଏତିକି ପ୍ରାର୍ଥନା, ମୋତେ ଟିକିଏ ସମୟ ଦେ । ମୁଁ ମରିବା ପୂର୍ବରୁ ଥରେ ହେଲେ ମୋ ଇଷ୍ଟଙ୍କୁ ସ୍ମରଣ କରିନିଏ ।

ଘାତୁକ

-

ମରଣ କାଳେ ଇଷ୍ଟସ୍ମରଣ ! ହଉ ହେଲା, ସେଥିରେ ମୋର ବା ତ୍ରୁଟି କ’ଣ ? ଟିକିଏ ଡେରି ହବ, ସେଥିରେ ମୋର ଯାଏ କେତେ, ଆସେ କେତେ ।

ପ୍ରଭା

-

(ଗୀତ)

ନୀଳାଚଳେ ଅଛଟି ହରି,       ଶୁଭୁ ନାହିଁ ଦାସ-ଗୁହାରି

ବିନା ଦୋଷେ ଦଣ୍ଡ ଦେଉଛି ପାଷାଣ୍ଡ-

ଚଣ୍ଡାଳଟା ହସ୍ତେ ଜୀବ ଯା ଗଲା । ୨ ।

 

 

 

ପ୍ରଭୋ ! ଆପଣ କ’ଣ ବୈକୁଣ୍ଠ ଛାଡ଼ି ଚାଲିଗଲଣି ନା ଆପଣଙ୍କ କର୍ଣ୍ଣ ବଧିର ହୋଇଗଲାଣି ? ଆପଣ ପରା ଅଗାଧ ଜଳରେ ଦ୍ୱିରଦର ଡାକ ଲକ୍ଷ୍ମୀଙ୍କ ସହିତ ପଶାଖେଳରେ ରତ ଥିବାସମୟରେ ଶୁଣି ତାର ଆତଙ୍ଗ ମୋଚନ କରିଥିଲେ, ତେବେ ଆଜି କାହିଁକି ଏ ହତଭାଗା ପ୍ରତି ଏ ନିଷ୍ଠୁର ବ୍ୟବହାର ? ମଇତ୍ର ! ତୋ’ଯୋଗୁ ଏ ଦଶା ।

 

 

ଗୀତ

ପର କରି ଗଲୁ ମଇତ୍ର,       ଆଜି ତୋର ଲୋଡ଼ୁଛି ପଥ

ହେଲା ପୂର୍ଣ୍ଣ ବ୍ରତ ଛାଡ଼ିଲା ଜୀବ ତ ।

ଭଣେ ବାଳକୃଷ୍ଣ ଭେଳା ବୁଡ଼ିଲା । ୩ ।

 

 

 

ମଇତ୍ର ! ପୂର୍ବରୁ ମୋତେ ଘୃଣା ଚକ୍ଷୁରେ ଚାହୁଁଥିଲ ବୋଲି ମୋତେ ସଙ୍ଗରେ ନନେଇ ଏକାକୀ ସ୍ୱଚ୍ଛନ୍ଦରେ ଅକ୍ଷୟ ସ୍ୱର୍ଗବାସ କରିବ ବୋଲି ଚାଲିଗଲ; କିନ୍ତୁ ଦେଖ, ଆଜି ନିଶ୍ଚୟ ଯାଇ ତୁମ୍ଭ ସହିତ ସାକ୍ଷାତ୍‌ କରିବି । ଘାତୁକ ! କର ତୋର ସ୍ୱକାର୍ଯ୍ୟ ସାଧନ । ପ୍ରଭୋ !

 

 

(ଘାତୁକ ଛୁରି ମାରିବା ସମୟେ ଛୁରି ଖସିଯିବା)

 

 

ଘାତୁକ-କି ଆଶ୍ଚର୍ଯ୍ୟ ବ୍ୟାପାର ! ଏହି ଛୁରିକା ଘାତରେ ଲକ୍ଷ ଲକ୍ଷ ଜୀବଙ୍କର ବିନାଶ ହୋଇଛି, ମାତ୍ର କି ନିମିତ୍ତ ମୋ ହାତରୁ ଖସିଗଲା ? ଦୂତ, ଟିକିଏ ଛୁରିଟି ଆଣି ଦବୁଟି ।

ଦୂତ

-

ନାଇଁରେ ଭାଇ, ମୋଦ୍ୱାରା ସେ କଥା ପଟିବ ନାହିଁ । ତୋ କାମ ତୁ କର । ଏକେ ତ ତୋ କାର୍ଯ୍ୟରେ ବ୍ୟାଘାତ ହେତୁ ତୋର ଯାହା ହେବ, ତହିଁରେ ପୁଣି ମତେ ପଠାଉଛୁ ଛୁରିପାଇଁ ! ମୁଁ କ’ଣ ତୋ ଛୁରି ଛୁଇଁ ଜାତିରୁ ଅଟକ ହୋଇ ଛାମୁଣ୍ଡିଆ ଟେକିବି ନା କ’ଣ ?

 

 

(ଘାତୁକ ଛୁରି ଆଣିବାକୁ ଯାଇ ନଇଁପଡ଼ି ଆଣିବାସମୟେ ସର୍ପାଘାତରେ ପତନ)

ଘାତୁକ

-

ମଲି ରେ ବାପା, ପ୍ରାଣ ଗଲା, ସର୍ପାଘାତ ।

ଦୂତ

-

ମଲା ରେ ଶଳା, ଏ ମାରିବ କ’ଣ, ଆଗେ ଦାନ୍ତ ନିକୁଟି ଦେଲାଣି । ଯାଉଛି, ମହାରାଜାଙ୍କୁ ଏ ବିଷୟ କହିବି । ମହାରାଜ ସର୍ବନାଶ, ସର୍ବନାଶ !

ରାଜା

-

କ’ଣ ସର୍ବନାଶ ? ଦୂତ, ଯୋଗୀ ନିଷ୍ପତ୍ତି ?

ଦୂତ

-

ନା ମହାରାଜ, ଘାତୁକ ନିଷ୍ପତ୍ତି ।

ରାଜା

-

କାହାଦ୍ୱାରା, କିପରି ?

ଦୂତ

-

ମହାରାଜ, ଘାତୁକ ଛୁରି ମାରିବା ସମୟରେ ତା ହାତରୁ ଛୁରି ଖସିଯାଇ ଜଙ୍ଗଲରେ ପଡ଼ିଲା । ଘାତୁକ ସେଠାରୁ ଛୁରି ଆଣିବା ସମୟେ ତାକୁ ସର୍ପ ଦଂଶନ କଲା; ସେ ସେଠାରେ ମୃତ ।

ରାଜା

-

ବଡ଼ ଆଶ୍ଚର୍ଯ୍ୟ କଥା ! ଯୋଗୀ କାହିଁଗଲା ?

ଦୂତ

-

ଯୋଗୀ ଶୂଳିଖମ୍ୱରେ ।

ରାଜା

-

ଶୀଘ୍ର ଯୋଗୀକୁ ଘେନିଆସ । ଏଥିରେ ନିଶ୍ଚୟ କୌଣସି ମର୍ମ ଅଛି

 

-

( ଦୂତ ତଥାକରଣ )

ପ୍ରଭା

-

କି ରେ ଦୂତ, ଆଉ କେଉଁଠିକି ନେଉଛୁ । ହଉ, ତୋ ଇଚ୍ଛା, ଯାହା କରିପାର ।

ରାଜା

-

ହେ ଯୋଗୀ ! ତୋ ଧର୍ମ ତୋତେ ସହାୟ ପରି ଜଣାଯାଉଛି । ଏଥିର ଗୂଢ଼ମର୍ମ କ’ଣ କହ । ପ୍ରକୃତରେ ଏ ଘଟଣାରେ କିଏ ଦୋଷୀ, ତାହାର ପ୍ରଭୃତ କାରଣ କ’ଣ କହିପାରିବ କି ?

ଯୋଗୀ

-

ରାଜନ୍‌ ! ପ୍ରକୃତ ହେଉ ବା ଅପ୍ରକୃତ ହେଉ ମୋର ମୃତ୍ୟୁ ହିଁ ଶ୍ରେୟ ।

ରାଜା

-

ପ୍ରକାଶ କର ।

ପ୍ରଭା

-

ଗୀତ

(ଖଟା କରି-ବୃତ୍ତେ)

କେତେ ମୁଁ କହିବି ନୃପ ସେ ମୋ କର୍ମ,

ଅବିବେକ ଦୈବ ବିପକ୍ଷ ।

 

 

 

ରାଜନ ! ମୋତେ ବର୍ତ୍ତମାନ ଦଇବ ବିପକ୍ଷ ହୋଇଛି, ମୁଁ ବା କ’ଣ ଦୁଃଖ ପ୍ରକାଶ କରିବି ।

 

 

ଗୀତ

ଅବିଶ୍ୱାସୀ କ୍ରୁରକାଳ ଜୀଇଁବା ନାହିଟି ଫଳ ।

ଧର୍ମାଧର୍ମକୁ ବିଚାର ନ ରଖି ଭ୍ରମନ୍ତି ଲୋକ । ୧ ।

 

 

 

ରାଜନ୍‌ ! ‘‘ଧର୍ମ ସଙ୍କୁଚିତଂ ତପୋବିରହିତଂ ସତ୍ୟଂ ଚ ଦୂରଂ ଗତଂ । ଲୋକା ଧର୍ମହତା ଦ୍ୱିଜାଶ୍ଚ ଲୁଭିତା ନାରୀବଶା ମାନବାଃ, ନିର୍ବୀଯ୍ୟା ପୃଥ୍ୱୀ ନିରୌଷଧି ରସା ନୀଚା ମହତ୍ତ୍ୱଂ ଗତଃ, ଭୂପାଳା ନିଜଧର୍ମକର୍ମ ରହିତା ବିପ୍ରାଃ କୁମାର୍ଗଗତାଃ ଭାର୍ଯ୍ୟା ଭର୍ତ୍ତୃ ବିରୋଧିନୀ ପରେରତା ପୁତ୍ରା ପିତୃଦ୍ଵେଷିଣୋ, ହା କଷ୍ଟ ଖଳୁ ବର୍ତ୍ତତେ କଳିଯୁଗେ ଧନ୍ୟା ନରା ଯୋ ମୃତାଃ ।’’ ଏ କ୍ରୁର କାଳରେ କାହାରି ଧର୍ମାଧର୍ମ ବା ଆଗ-ପଛ ବିଚାର ନାହିଁ ।

ରାଜା

-

ନିଶ୍ଚୟ କଥା । ଦୂତ, ପ୍ରକୃତରେ ମୁଁ ୟାଙ୍କ ବିଷୟ କୌଣସି ରକମ କିଛି ନବୁଝି ଏକ ତରଫା ବିଚାର କରିଥିଲି । ଯୋଗୀ, ସେଟା ମୋର ସମ୍ପୂର୍ଣ୍ଣ କଶୁର ।

ଯୋଗୀ

-

ଗୀତ

ଯେ ରମଣୀ ପ୍ରେମାସକ୍ତ,

ସେ ନ ଜାଣେ ଜାତି-ଗୋତ୍ର ।

କଣ୍ଟା ମଣଇ ତା କାନ୍ତ,

ଖଣ୍ଟକରେ ସଦା ଲକ୍ଷ୍ୟ । ୨ ।

 

 

 

ରାଜନ ! ଯେ ରମଣୀ ପରପ୍ରେମାସକ୍ତ ଥାଏ, ସେ ନିଜ ସ୍ୱାମୀକୁ ନିଜ ହସ୍ତରେ ଛେଦନ କରିପାରେ ।

ରାଜା

-

-ଦୂତ ! ତେବେ ଏ କାଣ୍ଡ କ’ଣ ଲୀଳାଦ୍ୱାରା ଉଦ୍ଭାବିତ ହୋଇଛି । ଯୋଗୀ ! ମୋର ଯେ ସମସ୍ତ ଅବିଚାରଜନିତ ଦୋଷ, ତାହା ନିଜ କ୍ଷମା ଓ ସୌଜନ୍ୟ ଗୁଣରେ କ୍ଷମା ଦେଇ ଆତ୍ମପରିଚୟ ଦେଇ ଏ ଅଧୀନକୁ ଆପ୍ୟାୟିତ କରନ୍ତୁ । ମୁଁ ସମସ୍ତ ବୁଝିସାରିଲିଣି, ଆଉ ବେଶି କହିବା ପ୍ରୟୋଜନ ନାହିଁ ।

ପ୍ରଭା

-

ଗୀତ

ମୁହିଁ ସେହି ସାଧୁ-ପୁତ୍ର

ତୁମ୍ଭ ଜାମାତା-ମଇତ୍ର ।

ତାର ବିଚ୍ଛେଦେ ହେ ନୃପ;

ହୋଇଛି ଦୀନ ଅରକ୍ଷ । ୩ ।

 

 

 

ରାଜନ୍‌ ! ମୁଁ ଆପଣଙ୍କ ଜାମାତା ନିର୍ମଳ ବାବୁଙ୍କର ମଇତ୍ର ପ୍ରଭାକର । ସେ ସାମାନ୍ୟ କଥାରେ ମୋତେ ତ୍ୟକ୍ତ କରି ଆସି ଏଠାରେ ଆପଣଙ୍କ କନ୍ୟା ଓ ଜଣେ ସାମାନ୍ୟ ଚାଣ୍ଡାଳଦ୍ୱାରା ନିହତ ହେଲେ ।

ରାଜା

-

କି କହିଲୁ ବତ୍ସ ! ସତ୍ୟ କିବା ମିଥ୍ୟା ଏହୁ ଗିର ? ପ୍ରତ୍ୟକ୍ଷ ପ୍ରମାଣ ୟାର ଦେଇ କି ପାରିବୁ ? କି ନକଲା ସେ ପାଷାଣ୍ଡୀ କାହା ସହିତରେ, କରେ ସର୍ପବିଳେ ହସ୍ତକ୍ଷେପ, ପୁଣି କୃଷାନୁରେ ବାସ, ପୀୟୁଷ ବୋଲିଣ କ’ଣ ଭକ୍ଷିଲା ସେ ବିଷ ?

ପ୍ରଭା

-

ରାଜନ୍‌ ! ବୃଥା ବାକ୍ୟାଳାପେ କିବା ପ୍ରୟୋଜନ, ଥାନ୍ତୁ ସତର୍କେ ନିଜ ଶୟନ-ମନ୍ଦିରେ, ଇଙ୍ଗିତ ମାତ୍ରକେ ଦେବ ହୋଇବେ ପ୍ରବେଶ ନବରର ପୂର୍ବଦିଗେ ତୋରଣଦେଶରେ ।

ରାଜା-

-

ହଉ, ଚାଲ ତେବେ ଥିବା ସତର୍କରେ ।

 

ଦ୍ୱିତୀୟ ଦୃଶ୍ୟ

ପଚିଆ

-

ଲୀଳା ! କାଲି ଯେଉଁ ମଉଜଟା ହେଲା, ମୁଁ ସ୍ୱପ୍ନରେ ବି ସୁଦ୍ଧା ଭାବି ନଥିଲି, ଯେ ଏହା କେବେ ମୋ ଭାଗ୍ୟରେ ଘଟିବ । ଯେଉଁ ଦିନ ନିର୍ମଳ ବାବୁ ଆସି ପହଞ୍ଚିଲେ ମୁଁ ଯେତେ କାନ୍ଦିଛି, ସେ କଥା କ’ଣ କହିବି ।

ଲୀଳା-

-

ପଚିଆ ! ମୋ ମନକଥା ତୁ ବା କ’ଣ ଜାଣିବୁ ।

ପଚିଆ-

-

ଲୀଳା ! ବୁଝିଛି, ବେଶ୍‌ ବୁଝିଛି, ଆଉ ବାକି ନାହିଁ, ମାତ୍ର ମୁଁ ଚୋରପରି କେତେ ଅନୁସରଣ କରି ଏକନ୍ଦି ସେକନ୍ଦି ହୋଇ ବୁଲିବି ? ତୁ ତୋର ପିତାକୁ କହି ଗୋଟିଏ ନୂଆ ଉଆସ ତୋଳା, ତହିଁରେ ମୁଁ ଝାଡ଼ୁ ସର୍ଦ୍ଦାର ହୋଇଥିବି, ଯେତେ- ବେଳେ ଇଚ୍ଛା ସେତେବେଳେ....

 

 

( ରାଜାଙ୍କୁ ପ୍ରଭା ଅଲକ୍ଷିତେ ସମସ୍ତ ଘଟଣା ଶୁଣାଇବା )

ରାଜା

-

ହଁ ମୂର୍ଖ ! ଚାଲ, ତୋଳାଇଦେଉଛି । ଦୂତ ! ବାନ୍ଧ ଶୀଘ୍ର । ଲୋ ପାପିୟସୀ, ତୋର ଏତେଦୂର ଆସ୍ପର୍ଦ୍ଧା । ଅଲକ୍ଷଣୀ, ନିର୍ମଳକୁ କେ ମାରିଲା ?

ଲୀଳା-

-

ଯୋଗୀ ମାରିଛି ।

ରାଜା

-

ତେବେ ଅନ୍ତଃପୁର ଛାଡ଼ି ଏଠାରେ କ’ଣ ହେଉଥିଲା? ପଚିଆ, ନିର୍ମଳକୁ କେ ମାରିଲା ?

ପଚିଆ

-

ନା...ମୁଁ...ଦେଖି...ନାହିଁ ।

ରାଜା

-

ଗୀତ

( ଆଲୋ ଦୂରାଚାରି....ବୃତ୍ତେ )

କାହିଁ ଥିଲୁ ଦୁଷ୍ଟା                   ତୁ ମୁଢ଼ା କୁଳଟା

ଜାତି କୁଳ ହରାଇଲୁ,

ରାଜକୁଳବତୀ             ହୋଇ ତୁ ପାପିଷ୍ଠା

କ୍ଷିତିରେ ଅକୀର୍ତ୍ତି କଲୁ ।

ଧିକ ତୋର ଜୀବନ,

ହୀନ ଚଣ୍ଡାଳ ସାଙ୍ଗରେ କଲୁ ପ୍ରେମ । ୧ ।

 

 

 

ଲୋ ରାକ୍ଷସୀ ! ମୋର ନବରରେ କେତେ ବା ନାହାନ୍ତି, ତାଙ୍କମାନଙ୍କ ସଙ୍ଗ ଛାଡ଼ି ପାପିଷ୍ଠା ସାମାନ୍ୟ ଚଣ୍ଡାଳ ସହିତ ପ୍ରେମ କଲୁ ?

 

 

ଗୀତ

ବିଟପୁଂଷେ ମାତି             ତୋ ପରାଣପତି

ସ୍ୱହସ୍ତେ କଲୁ ନିଧନ,

ଆଜି ତାର ଶାସ୍ତି             ଭୁଞ୍ଜିବୁ ପାପିଷ୍ଠି

ଡାକିଲାଣି ତୋତେ ଯମ ।

ରକ୍ଷା ନାହିଁଟି ତୋତେ,

ଆଜି ନେବି ତୋ ପରାଣ ଅସ୍ତ୍ରାଘାତେ । ୨ ।

 

 

 

ମୂଢ଼ା ! ତୋ ସ୍ୱାମୀକୁ ଚିହ୍ନିପାରିଲୁ ନାହିଁ ? ରାଜସିଂହାସନରେ ରାଜରାଣୀ ହୋଇ ବସିଥାନ୍ତୁ, ବର୍ତ୍ତମାନ ଦେଖ, ଚଣ୍ଡାଳପ୍ରେମରେ କି ଫଳ ଭୁଞ୍ଜିବୁ ? ଦୂତ, ଘାତୁକକୁ ଡାକ ।

 

 

( ଘାତୁକ ପ୍ରବେଶ )

 

 

ଘାତୁକ ! ଏ ପାଷାଣ୍ଡୀକୁ ଗାତ ଖୋଳି ପୋତି ପକା ।

ଘାତୁକ

-

ଏହାକୁ କି ଶାସ୍ତି ଦିଆଯିବ ମହାରାଜ ?

ରାଜା

-

ଗୀତ

ଏ ଚଣ୍ଡାଳ ହସ୍ତ-             ପଦକୁ ସମସ୍ତ

ଛେଦିପକାଅ ଶ୍ମଶାନେ,

ପାପପ୍ରେମ-ସୁଖ             ଜାଣିବଟି ମୂର୍ଖ

ଦୀନ ବାଳକୃଷ୍ଣ ଭଣେ ।

ଦୂତ ଯାଅ ବହନ,

ଆଉ ବିଳମ୍ୱରେ ନାହିଁଟି ପ୍ରୟୋଜନ । ୩ ।

 

 

 

ଘାତୁକ । ଏ ମୂର୍ଖକୁ ଶ୍ମଶାନକୁ ନେଇ ୟାର ହସ୍ତ ପଦ ଛେଦନ କରି ଫିଙ୍ଗି ଆସିବ । (ପ୍ରଭା ପ୍ରତି) ସାଧ ! ସାଧୁ ତୁମ୍ଭେ ସାଧବର ସୁତ ! ସାଧିଛ ଯା ସିଦ୍ଧି ଅମରାକ୍ଷରେ ତାହା ହେବ ଲିପିବଦ୍ଧ ।

ପ୍ରଭା

-

ମୃତ୍ୟୁ କି ହେଲା ନାହିଁ ମୋତେ । ଦୟାନିଧି ! ଦୀନଜନେ ହୋଇଅଛ ସାହା । ତେବେ ନିଜ ବେଶ କରିବି ଧାରଣ । ମିତ୍ର, ଏକା କରି ଛାଡ଼ିଗଲ ମୋତେ । ଏବେ ତୋ ବିଭୂତି ଘେନି ମୋ ମସ୍ତକେ ଦେଖିବି ମୁଁ ଦୁନିଆର ହାଟ । ନାରୀ ଜାତି ଅବିଶ୍ୱାସୀ ବଡ଼, କାଳେ ତାଙ୍କୁ ନାହିଁଟି ପରତେ । ରାଜଜେମା ହୋଇ, ଚଣ୍ଡାଳରେ ହେଲା ପ୍ରେମାସକ୍ତ । ମୁଁ ତ ସାମାନ୍ୟ ସାଧବ, ମୋର ପତ୍ନୀ କି କରୁଛି କାଣ୍ଡ, ଦେଖିବି କେମନ୍ତେ, ଯିବି ନିଶ୍ଚେ ଶ୍ୱଶୁର ଆଳୟ ।

 

 

( ଘାତୁକ ଚଣ୍ଡାଳର ହସ୍ତପଦ ଛେଦି ଫିଙ୍ଗି ଆସିବା )

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ      

( ହୀରା ସଖି ସହ ଦେବୀ ମନ୍ଦିରକୁ ଗମନ )

 

 

(ଗୀତ)

( ଦ୍ୱିତୀୟା ଯାମିନୀରେ-ବୃତ୍ତେ )

କାହିଁକି ଧାତା ମୋତେ ଦେଲୁ ଏ ଚିନ୍ତା,

ଅଭାଗିନୀ ନାରୀରେ କରୁ ଅହନ୍ତା ରେ

ଧିକ ତୋ ପଣ

 

ପ୍ରାଣେ ନ ମାରି କିମ୍ପା ଦେଲ କଷଣ ରେ । ୧ ।

 

-

ସଖି ଗୋ ! ବିଧାତା ମୋର କରମରେ ଏଇଆ ଲେଖିଥିଲା । ମୁଁ ଘୋଡ଼ାମୁହୀଁ ନମରି ବଞ୍ଚିଲି କାହିଁକି ?

ସଖୀ

-

ମଲା, ତମଠାରୁ କ’ଣ ଭାଗ୍ୟବତୀ ସ୍ତ୍ରୀ ଏ ଜଗତରେ ମିଳିବେ, ତେମେ ଖୁବ୍‌ ସୁଖୀ ।

ହୀରା

-

(ଗୀତ)

ଏ ଯୁବାକାଳେ କାନ୍ତ କଲେ ଅନ୍ତର,

କେ କିସ ଶିଖାଇଲା ପ୍ରୀତି ମନ୍ତର ଗୋ ।

ଧିକ ଜୀବନ

କେତେ ସହିବି ଆଉ ମାର କଷଣ । ୨ ।

 

 

 

ସଖି ଗୋ ! ଏ ଯୁବା ସମୟରେ ପ୍ରାଣନାଥ ଯାହା ପାଶୋରି ଦେଇ ରହିଲେ, ଏ ଦୁର୍ଦ୍ଦଶା ମୁଁ କାହାକୁ କହିବି, ସେ ମୋ ପୂର୍ବାର୍ଜିତ କର୍ମଦୋଷ ।

 

 

(ଗୀତ)

ମାତା ଅଭୟା ମୋତେ କର ସୁଦୟା,

ଦେଖିବି ନେତ୍ରପଥେ ମୋ ପ୍ରାଣନାହା ଗୋ ।

ଯିବ କଷଣ

ଶୈଳନନ୍ଦିନୀ ସାହା ବାଳି ରଚନ ଗୋ

 

 

 

ମା ଅଭୟା ! ଏ ଦିନାହୀନା ଅକିଞ୍ଚନଠାରେ କାହିଁକି ଏଡ଼େ ନିର୍ଦ୍ଦୟଭାବ ? ସତେ କ’ଣ ମୋ ଭାଗ୍ୟରେ ଏହି ଅମାଅନ୍ଧକାର ଚିରଦିନ ଘୋଟି ଥିବ ! ମୋ ଭାଗ୍ୟାକାଶରେ ସୌଭାଗ୍ୟ ରବି ଉଦୟ କ’ଣ ଧାତା ଲେଖି ନାହିଁ ? ତେବେ ଜୀବନେ ନମାରି ଏତେ କଷ୍ଟ ଦେବାପାଇଁ ରଖିଲେ କାହିଁକି ?

ସଖି

-

ଛି, ଛି, ଜେମାଦେଈ ! ଏପରି ଅଧୈର୍ଯ୍ୟ ହେଉନ୍ତୁ ନା, ମା ଭଗବତୀ ନିଶ୍ଚୟ ତୁମ୍ଭର ମନୋବାଞ୍ଛା ପୂରଣ କରିବେ

 

 

( ପ୍ରଭା ପଥରେ ହୀରା ସହ ସଖିଗଣଙ୍କୁ ଦେଖି ସନ୍ଦିହାନ ହୋଇ ପଶ୍ଚାଦନୁଧାବନକରଣ )

ପ୍ରଭା

-

ଏହି ତ ମୋର ଶ୍ୱଶୁର ରାଜ୍ୟ ହେବ ପରା ! ଏ ଯେ ସୁନ୍ଦରୀ ମଧ୍ୟରେ ଆସୁଛି, ସେ ତ ଚିହ୍ନାପରି ଜଣାଯାଉଛି । ହଁ, ଏହି ତ ସେହି ମୋର ସ୍ତ୍ରୀ ହେବ । ଏ ତ ରାତ୍ର ପ୍ରଥମ ପହର । ଏ ସମୟରେ ସଖି ଗହଣେ କୁଆଡ଼େ ଯାଉଛି ଦେଖେଁ, ଏ କ’ଣ ସେହି ମିତ୍ର ସ୍ତ୍ରୀ ପରି ହେବ କି ?

 

 

( ହୀରାଦେବୀ ଦେଉଳରେ ପ୍ରବେଶି ଷୋଡ଼ଶ ଉପଚାରରେ ପୂଜା କରିବାରେ ଦେବୀଙ୍କ ଆବିର୍ଭାବ ଓ ବର ପ୍ରଦାନ )

ଦେବୀ

-

ବତ୍ସେ ହୀରାବତି, ପ୍ରୀତ ମୁହିଁ ତବ ଭକ୍ତିବଳେ; ବନ୍ଧା ମୁହିଁ ତୋହର ନିକଟେ । କାଲି ପ୍ରାତେ ଭେଟିବୁ ତୋ ସ୍ୱାମୀସହ ଗୃହେ । ସମାଦରେ ପୂଜ ତାଙ୍କୁ ମୋ ତହୁଁ ଅଧିକ, ପୁଣି ତୋର ସେବା ହେତୁ ତୋତେ ଦେଉଅଛି ବର-ଯାଅ ତୁହି ଦେଉଳ ପଶ୍ଚାତେ, ଅଛି ଯେଉଁ ପାଦୁକର କୁଣ୍ଡ, ହସ୍ତତବ ଭରିବୁ ତହିଁରେ କାଣି ଆଙ୍ଗୁଠିରେ ତୋର ରହିବ ଅମୃତ, ବାଜିଲେ ତୋ ହାତ ମୃତ ଶବ ଜୀଇଣ ଉଠିବ । (କହି ଅନ୍ତର୍ଦ୍ଧାନ)

 

ଦ୍ୱିତୀୟ ଦୃଶ୍ୟ

( ରତ୍ନାକର, ସୌଦାଗର, ଗ୍ରାମବାସୀଗଣ )

ରତ୍ନାକର

-

ବୁଝିଲୁ ନା ନାତୁଣୀ ! ମୁଁ ଢେର ଜାଗା ବୁଲିଲିଣି, ଢେର ବୁଝିଲିଣି, ଢେର ଶିଖିଲିଣି । ଆଉ ବାକି ନାହିଁ, ଆପେ ମଲେ ଯୁଗ ବୁଡ଼, ହଡ଼ା ଥିବାତକ ଗୁହାଳ, ହଡ଼ା ଗଲେ ଗଲା । ଏ କୁଳାଙ୍ଗାର ଟୋକା ଟାକିରିଆଙ୍କୁ ଆଉ ପାରି ହେଲା ନାହିଁ ନାତୁଣୀ, ପାରି ହେଲା ନାହିଁ । ତାଙ୍କୁ ମୁଁ ଯେତେ ବୁଝାଇଲି, ଆରେ ତୁମ୍ଭ ଏହି ପିତୃପିତାମହଙ୍କ ବେଉସା, ୟାକୁ ଭଲ କରି ଦେଖ, ଶିଖ । ସେ କାହିଁକି ମନ ଦେବେ ଭଲା, କହିଲୁ ନାତୁଣି, ତୋରି ଆଗରେ ତ କିଛି ଲୁଚା ନା ଛପା ! ଭଲକରି ମୁଠିଏ ପେଟକୁ ଖାଏ ନାହିଁ କି ଲମ୍ୱକରି ଖଣ୍ଡେ ପିନ୍ଧେ ନାହିଁ । ମହାଜନି ହେଲା ଆମ୍ଭ ଜୀବିକା । ସୁଧ ତହିଁରେ ସୁଧ ପୁଣି ତାର ସୁଧର ସୁଧ, ତାହା ପୁଣି ଚକ୍ରବୃଦ୍ଧି ହିସାବ ଛଡ଼ା ତ ଅନ୍ୟ ହିସାବରେ ଆଦୌ ଆସେ ନାହିଁ । ଆସିଲେ କ’ଣ ହେବ, ଏଗୁଡ଼ାକ ହେଲେ ନାହିଁ । ତହିଁରେ ପୁଣି ଝିଅଟାକୁ ସେହି ଖର୍ଚ୍ଚ ଭୟରେ ବାଳୁତିକାଳୁ ବିଭା ଦେଇଥିଲି, ମାତ୍ର ଅଜଗରକୁ ଦାତା ରାମ ପରି, କର୍ମକୁ ଜଇଁଟିକି ମଧ୍ୟ ତଦ୍ରୂପ ଗୁଣଗ୍ରାହୀ । ତା ନହେଲେ ଘରଦ୍ଵାର ସ୍ତ୍ରୀ ଛାଡ଼ି ୟା ଓଳି ତା ଓଳି ହୋଇ ବାରଦ୍ୱାର ଶୁଣ୍ଢି ପିଣ୍ଡା ହୋଇ ବୁଲୁଥାନ୍ତି ! ନାତୁଣି, ଏ ସଂସାରଟା ଅନିତ୍ୟ, ଅସାର, ଏଥିରେ କେହି କାହାର ନୁହନ୍ତି । ଏ ସମସ୍ତେ ସୁଖର ସାଥୀ, ଜୀବ ଥିବା ପର୍ଯ୍ୟନ୍ତ ସବୁ ମୋର, ଜୀବ ଗଲେ କେହି କାହାର ନୁହନ୍ତି । ଆଉ କୋଉ ଥିରେ ସୁଖ ଶାନ୍ତି ଆସୁନାହିଁ, ଦେଖୁଛି କେବଳ ହରି ନାମହିଁ ସାର, ହରେକୃଣ୍ଣ ! ହରେକୃଷ୍ଣ ! ହଇଲୋ ନାତୁଣି, ମୁଁ ତ ଦେଢ଼ି ମହାଜନି କରୁଛି, କାଲି ରାମାକଣ୍ଡରା, କହ୍ନେଇ ସେଠି, ଲକ୍ଷ୍ମଣ ଭୋଇ ଓ ସନେଇ ସାମଲମାନେ ଯେଉଁ ଧାନ ଦେଇଗଲେ, କୁଆଡ଼େ ସ୍ୱାହି ହିସାବରେ ଦେଲେ ।

 

 

ଗ୍ରାମବାସିନୀ ନାତୁଣୀ-ହଁ, ତାଙ୍କର ତ ହକ୍‌ ଗୌଣିକେ ପାଏ ହେଲା, ଆଉ କେତେ ଦେବେ ?

ରତ୍ନା

-

ଦେଖିଲୁ ତ ନାତୁଣି, ପୁଅ ମଣିଙ୍କ କୀର୍ତ୍ତି ଶୁଣିଲୁ ମୁଁ ନେଇଥିଲେ କ’ଣ ଏହି ହିସାବରେ ନେଇଥାନ୍ତି । ହେଲା, ଆଉ ତାଙ୍କର ବୋପା ଦିହକେ ଧାନ ନେଇ ଥିଲେ ! କିଲୋ ବେଢ଼ି ତ ହେଲା, ଗୌଣିକେ ବିଡ଼ା’, ମଲା ମାଇଲା ଖେତରେ ଶଳାଙ୍କପାଇଁ ସ୍ୱାହିଁ ଥୁଆ ହୋଇଛି । ଆଚ୍ଛା ଦେଖୁଛି, ରହ କାଗଜ ତ ଅଛି, କାଲି କଚିରୀ କି ଯାଇ ନାଲିସି କରିଦେଲେ ଯିବେ କୁଆଡ଼େ ।

ନାତୁଣି

-

ଆଉ ମାଳାଗଡ଼ା ।

ରତ୍ନାକର

-

-(କର୍ଣ୍ଣଡେରି) ମୋତେ କିଏ ଡାକିଲା ବୁଝିଲୁ ।

ଗ୍ରାମବାସୀ

-

ହେ ବୁଢ଼ାଭାଇ ! ହେ ବୁଢ଼ାଭାଇ !

ରତ୍ନାକର

-

ତମେ ତ ବେହିପ ଟୋକା ହେଇଛ । ବୁଢ଼ା କ’ଣ ବେ, ଲାଉ ବୁଢ଼ା ନା, କଖାରୁ ବୁଢ଼ା !

ଗ୍ରାମବାସୀ

-

ସେଥିରେ ଆମର କାଇଲି, ତମର ଜ୍ୱାଇଁ ଆସି ଏଠାରେ ଅପେକ୍ଷାରେ ବସିଛନ୍ତି ।

ରତ୍ନା

-

ମୋ ଜୋଇଁ ? କିରେ ଶଳା, ନକଲ କରୁଛ, ଭଙ୍ଗୀ ଦେଖାଉଛ ? ମୁଁ କ’ଣ ତମର ଥଟା ?

ଗ୍ରାମ

-

ତୋ ସଙ୍ଗରେ କଥାବାର୍ତ୍ତା କରିବ କିଏ, କୁ ତ ଇଜ୍ଜତ ନେବୁ ।

ରତ୍ନା

-

କ’ଣ ସତ କହୁଛ, ଆମ ଜୋଇଁ ପ୍ରଭାକର ଆସିଛନ୍ତି ?

ଗ୍ରାମ

-

ହ, ଦେଖ, ସତ କି ମିଛ ।

ରତ୍ନା

-

ଉଠ ବେ, ସେତ ୫ ବର୍ଷ ହେଲା ବିଭା ହୋଇ ଠେକି ଭାଙ୍ଗି ସେଇଆଡ଼େ । ମୁଁ ତ ଝିଅକୁ ବେକରେ ବାନ୍ଧି ବୁଲୁଛି, କାହିଁ ଡାକି ଆଣିଲୁ ।

 

 

( ପ୍ରଭାକର ପ୍ରବେଶ )

ଗ୍ରାମ

-

ଅଜା, ହେଇତିନି ଆସିଲେଣି ।

ରତ୍ନା

-

ହଉ, ଟଙ୍କା ସେଇଠି ରଖି ଦଣ୍ଡବତ ହୁଅନ୍ତୁ ।

ଗ୍ରାମ

-

ପ୍ରଭାକର ସେଠି ଟଙ୍କା ରଖି ଶ୍ୱଶୁରଙ୍କୁ ମାନ୍ୟ ହୁଅନ୍ତୁ ।

ପ୍ରଭା

-

ହେ ଭାଇ, ମୋ ନିକଟରେ କିଛି ନାହିଁ ।

ଗ୍ରାମ

-

ବୁଢ଼ାଭାଇ ! ଜୋଇଁ ପାଖରେ ତ କିଛି ନାହିଁ ବୋଲି କହୁଛନ୍ତି ।

ରତ୍ନା

-

କିଛି ନାହିଁ ତ ମୋ ମାନଟିକ ଦବ କିଏ ? ହଁ, ହଁ ଆଜିକାଲିକା ଟୋକାତକ ସେଇଆ ହେଲେଣି, ହଉ ନାତୁଣି, ଘରକୁ ନେଇ ଚାଲ ।

ନାତୁଣି

-

-କାହାକୁ ନେବି-ମ ।

ରତ୍ନା

-

ଆଲୋ ପିଇସାକୁ ନବୁ, କାହାକୁ ! ଯା ନାନୀକୁ ମୋ ପାଖକୁ ଡାକି ଦେ । (ହୀରାର ପ୍ରବେଶ) ହୀରା ଲୋ ! ତୁ କୁଆଡ଼େ ମାରିଥିଲୁ ଚିତା ? ଜୋଇଁ ଆସି ଦାଣ୍ଡ ପିଣ୍ଡାରେ ବସିଲେଣି, କଞ୍ଚି କାଠି ନେଇ ଅଳଙ୍କାର ନାଇ ଯା ରମ ଝମ ଚାଲିଯା ।

 

(ତୃତୀୟ ଦୃଶ୍ୟ)

ପ୍ରଭା

-

ମୁଁ ଯାହାକୁ ଆସିବା ସମୟେ ପଥରେ ଦେଖିଥିଲି ସେଇ, ସେଇ ମୋର ପ୍ରକୃତ ସ୍ତ୍ରୀ, କାହିଁକି ଏତେ ବିଳମ୍ୱ, ହଉ ଟିକିଏ ବିଶ୍ରାମ ନିଏ ।

 

 

( ହୀରାର ପ୍ରବେଶ )

ପ୍ରଭା

-

କିଏ , ଆସ ପ୍ରିୟେ, ଅଭିମାନ କାହିଁକି ?

ହୀରା

-

ଗୀତ

( ଜଣାଗଲା ହେ ଶ୍ୟାମ-ବୃତ୍ତେ )

ପ୍ରାଣନାଥ କି ପ୍ରାଣୁ କଲ ମୋତେ ଅନ୍ତର ।

କେଉଁ ମନ୍ଦ ରସିକା କଲା ପ୍ରୀତି ମନ୍ତର । ୧ ।

 

 

 

ନାଥ ! କାହା କଥାରେ ପଡ଼ି ଏ ଅଭାଗିନୀକୁ ପାଶୋରି ଦେଇ ରହିଲ ?

ପ୍ରଭା

-

ନା ସଖି ! ପାଶୋରି ନାହିଁ ତ, ପାଶୋରି ଥିଲେ ଆସନ୍ତି କାହିଁକି ?

ହୀରା-

-

(ଗୀତ)

ଦାସୀରେ କିବା ଦୋଷ, ଦେଖି ହେଲ ନୃଶଂସ,

ସହି ସହି ମୁ କ୍ଳେଶ ଥୟ ନାହିଁ ଚିତ୍ତରେ । ୨ ।

 

 

 

ନାଥ ! ଅଧୀନାର କି ଅପରାଧ ଦେଖି ଏ ଦୁଃଖ ସାଗରରେ ମୋତେ ଭସାଇ ଦେଇ ନିଶ୍ଚିନ୍ତରେ ରହିଲେ ।

ପ୍ରଭା

-

ନା ସଖି, କେବେ ଭୁଲି ନାହିଁ, ଚିରଦିନ ତୁମ୍ଭେ ମୋର, ମୁଁ ତୁମ୍ଭର ।

ପ୍ରଭା

-

(ଗୀତ)

ଯା ଲାଗି ତାତ ବିତ୍ତ ତୁଚ୍ଛ କରିଲ ନାଥ

କାହାନ୍ତି ସେ ମଇତ୍ର ବାଳାମଣି ବିଚାର । ୩ ।

 

 

 

ନାଥ ! ଯେଉଁ ମଇତ୍ର ଲାଗି ଘରଦ୍ଵାର ତୁଚ୍ଛ କରିଥିଲ, ଆପଣଙ୍କର ସେ ମଇତ୍ର ଭଲରେ ଅଛନ୍ତି ତ ?

 

 

ପ୍ରଭା-କହନାହିଁ ସଖି, ସେ ଆଉ ଇହଧାମରେ ନାହାନ୍ତି । (କ୍ରନ୍ଦନ)

 

 

ହୀରା-ନାଥ ! କାନ୍ଦିଲେ କାହିଁକି କହନ୍ତୁ ।

 

ପ୍ରଭା-

-

(ଗୀତ)

( ସତେକି ଭାଇରେ-ବୃତ୍ତେ )

କହନା କହନା ସହି ସେ ମଇତ୍ର କଥାରେ

ଅଚିନ୍ତା ମଣ୍ଡପେ ସ୍ଥାନ ଦେଲାଣି ବିଧାତା । ୧ ।

 

 

 

ପ୍ରିୟେ ? ସଖା ମୋର ମୋତେ ଛାଡ଼ି ସ୍ୱର୍ଗ ଧାମରେ ନିଶ୍ଚିନ୍ତରେ ବସିଲାଣି ।

ହୀରା-

-

କ’ଣ ହେଲା ନାଥ !

ପ୍ରଭା

-

(ଗୀତ)

ଅହନ୍ତା କରି ପିଅର ଦେହେ ଦେଲେ ଦେଶାନ୍ତର

ବୃଥା କଥାରେ ମଇତ୍ର ତୁଟିଲା ବନ୍ଧୁତା ରେ । ୨ ।

 

 

 

ପ୍ରେୟସୀ ! ଦୁହେଁଯାକ ଗୃହଛାଡ଼ି ପଳାଇ ଆସି ରାତ୍ରରେ ଗୋଟିଏ ସ୍ଥାନରେ ବିଶ୍ରାମ ନେଇଥିଲୁ, ସେଠାରେ ଗୋଟିଏ ବାରନାରୀଦ୍ୱାରା ଆମ୍ଭମାନଙ୍କର ବନ୍ଧୁତା ଭାଙ୍ଗିଗଲା ।

ହୀରା

-

ତହୁଁ ମଇତ୍ର ତୁମ୍ଭ କୁଆଡ଼େ ଗଲେ ।

ପ୍ରଭା

-

(ଗୀତ)

ଶ୍ୱଶୁର ଆଳୟେ ବାସ କଲେ କେତେକ ଦିବସ

ଘଟିଲା ଯାହା ଭବିଷ୍ୟ ହୃଦେ ଲାଗେ ବ୍ୟଥା ରେ । ୩ ।

 

 

 

ପ୍ରିୟେ ! ସେ ମୋତେ ସେହି ଜଙ୍ଗଲରେ ପରିତ୍ୟାଗ କରି ଆସି ଶ୍ୱଶୁରାଳୟରେ ଆଶ୍ରୟ ନେଲେ । ମୁଁ ବି ମଧ୍ୟ ତାଙ୍କ ପନ୍ଥାବଲୋକନ କରି ଛଦ୍ମବେଶରେ ସେହି ଗ୍ରାମରେ ରହିଲି । ତହୁଁ ଯାହା ଘଟିଲା, ସେ କଥା କହିଲା ବେଳକୁ ହୃଦୟ ବିଦୀର୍ଣ୍ଣ ହୋଇଯାଉଛି ।

ହୀରା

-

ନାଥ ! କହନ୍ତୁ !

ପ୍ରଭା

-

(ଗୀତ)

ଚଣ୍ଡାଳ ସଙ୍ଗରେ ପ୍ରୀତି କରିଥିଲା ମିତ୍ରପତ୍ନୀ ।

ପତିରେ ନ ପାତ ଶାନ୍ତି କାଟିଲା ତା ମଥା ରେ । ୪ ।

 

 

 

ସଖି ! ମଇତ୍ର ସ୍ତ୍ରୀ ଗୋଟିଏ ସାମାନ୍ୟ ଚଣ୍ଡାଳ ସହିତ ପଡ଼ି ତାରି ପ୍ରରୋଚନାରେ ସ୍ୱାମୀଙ୍କୁ ମାରିଦେଲା ।

 

 

(ଗୀତ)

ଛଦ୍ମବେଶେ ଥିଲି ଦ୍ଵାରେ ଦେଖିଲି ତାହା ନେତ୍ରରେ

ପରିଚୟ ଦ୍ୟନ୍ତେ ତାରେ ଯେତେ କଲାକ ହଟା ରେ । ୫ ।

 

 

 

ସଖି ! ତାହାର ଏହିପରି ଭ୍ରଷ୍ଟାବୁଦ୍ଧି ଦେଖି ମୁଁ ମିତ୍ର ବିଚ୍ଛେଦରେ ଅଧୀର ହୋଇ ଗୃହ ମଧ୍ୟରେ ପ୍ରବେଶ କରନ୍ତେ, ଯେ ଦଶା ଭୋଗ କରିଛି ତାହା ଶୁଣ

 

 

(ଗୀତ)

ପିତାରେ ଜଣାଇ ତାର ମୋତେ ବନ୍ଧାଇଲା ଚୋର ।

ବାଳକୃଷ୍ଣ ବୋଲେ ହର ମୋତେ କଲେ ରକ୍ଷା ରେ । ୬ ।

 

 

 

ପ୍ରିୟେ ! ମୁଁ ପରିଶେଷରେ ଦୋଷୀ ବୋଲି ବିନା ବୁଝାମଣାରେ ତାର ପିତାଙ୍କଦ୍ୱାରା ପ୍ରମାଣିତ ହୋଇ ଶୂଳିକୁ ପଠାଗଲି । ସେଠାରେ ମୋର ଧର୍ମ ବଳରୁ ଘାତୁକକୁ ସର୍ପାଘାତ ହେଲା । ତହୁଁ ରାଜାର ମନରେ ଚୈତନ୍ୟ ଉଦେ ହେବାରୁ ସେ ମୋତେ ପୁନଃ ଡକାଇ ନେଇ ସମସ୍ତ ବିଷୟ ପଚାରିଲେ । ମୋ ପ୍ରମାଣଦ୍ୱାରା ସେ କନ୍ୟା ଓ ଚଣ୍ଡାଳର ପ୍ରାଣ ଦଣ୍ଡାଜ୍ଞା କଲେ ।

ହୀରା-

 

-

ନ ହୁଅ ଚିନ୍ତିତ ନାଥ ଜାଣେ ମୁଁ ଉପାୟ, ଅକ୍ଳେଶରେ ବଞ୍ଚାଇବି ମଇତ୍ର ତୁମ୍ଭର, ସିଂହବାହିନୀ ମୋ’ଠାରେ ବହିଣ ସୁଦୟା, ହୋଇଛନ୍ତି ସାହା । ନିଶ୍ଚିନ୍ତ ହୋଇଣ ବସ ତୁମ୍ଭେ ପ୍ରାଣନାହା । ନାଥ ! ତୁମ୍ଭ ମଇତ୍ରଙ୍କର ଶବ କିମ୍ୱା ଚିତାଭସ୍ମ ଆଣି ପାରିବ କି ?

ପ୍ରଭା

-

ହ ସଖି, ସଙ୍ଗେ ସଙ୍ଗେ ଅଛି ନିଅ ।

ହୀରା-

-

ଯଦି କିଛି ପୁଣ୍ୟବଳ ଥାଏ ଅଧୀନାର ମା ଅଭୟା ଅବିଳମ୍ୱେ କରଗୋ ସୁଦୟା, ପୁନଃ ଜନ୍ମ ଲଭୁ ମିତ୍ର ସ୍ୱଦେହ ଘେନିଣ (ନିର୍ମଳର ଜୀବନ ପ୍ରାପ୍ତ)

ନିର୍ମଳ

-

ପାଷଣ୍ଡ ! ଏତେଦୂର ଆସ୍ପର୍ଦ୍ଧା, ଅବିଶ୍ୱାସି ପଶିଛୁ ମୋ ଗୃହେ । ଚୂର୍ଣ୍ଣ କରିବି ତୋର ମଥା କାହିଁ ଅସ୍ତ୍ର (ପ୍ରଭାକରକୁ ହାଣି ଦେବା) ।

ହୀରା

-

କ’ଣ କଲ, କ’ଣ କଲ ! ମୋର ପତିକୁ ଦ୍ୱିଖଣ୍ଡ କଲ । ଦେଖ ଥରେ ନୁହଇ ଏ ତବ ଶ୍ୱଶୁର ଆଳୟ । ନୁହେଁ ମୁହିଁ ତବ ପତ୍ନୀ ଲୀଳାବତୀ । ନାମ ମୋର ହୀରା । ରତ୍ନାକର ସୌଦାଗରଙ୍କର ଏହୁ ପୁର । ନବୁଝି ନସୁଝି କିମ୍ପା ବିନା ଦୋଷେ ବଧିଲ ଜୀବଧନେ ମୋର । ନିଅ ଏହି ଲେଖା ବୁଝ ଏ ଘଟଣା ।

ନିର୍ମଳ

-

(ସ୍ୱଗତ) ପ୍ରକୃତ, କି ଏ ଘଟଣା, ହ ତା ନହେଲେ ବା ମୁଁ ତ ଶ୍ୱଶୁରାଳୟେ ଥିଲି କିପରି ଏଠାକୁ ଆସିଲି ! ଏ ସମସ୍ତେ ମୋର ଉପକାରୀ ଜନ । (ପ୍ରକାଶ୍ୟେ) ମା କ୍ଷମାମୟୀ ତୁମ୍ଭେ ମୋର ପ୍ରାଣଦାତ୍ରୀ, ମୁଁ ତ ଅବିଶ୍ୱାସୀ, ଚିହ୍ନିପାରିଲି ନାହିଁ । ବର୍ତ୍ତମାନ କ’ଣ କରିବି, ନିଅ ଏହି ଅସ୍ତ୍ର ବିଦୀର୍ଣ୍ଣ କର ଗୋ ମାତ ସ୍ୱହସ୍ତେ ତବ ପତିହନ୍ତା ପାତକୀ ପରାଣ ।

ହୀରା-

-

ନହୁଅ ଚିନ୍ତିତ ବନ୍ଧୁ, ଏ ସାମାନ୍ୟକଥା ଲାଗି, ମରି ନାହାନ୍ତି ମୋ ଧବ ଅଛନ୍ତି ଜୀବନେ । ଉଠିବେ ସେ ଏହିକ୍ଷଣି ବସନ୍ତୁ ନୀରବେ । ଯେଉଁ ଧର୍ମବଳେ ଅଧୀନା ବଞ୍ଚାଇଛି ତୁମ୍ଭ ପ୍ରାଣ, ବଞ୍ଚାଇବ ଏକ୍ଷଣି ସେହି ଧର୍ମବଳେ ପତିଙ୍କ ପରାଣ ।

 

 

( ହୀରାହାତ ମାରନ୍ତେ ପ୍ରଭାର ଜୀବନ ପ୍ରାପ୍ତି )

ନିର୍ମଳ

-

ଗୀତ

(ମୋ ପ୍ରାଣର ଭାଇ ସତେ-ବୃତ୍ତେ)

କ୍ଷମାକର ମଇତ୍ର ମୋ ପରାଣବନ୍ଧୁ ।

ଭାଗ୍ୟବଳେ ଦେଖିଲି ଯା ତୋ ଶ୍ରୀମୁଖ ଇନ୍ଦୁ । ୧ ।

 

 

 

କ୍ଷମାକର, ମଇତ୍ର, ଅଜ୍ଞାନେ ମୁଁ କରିଅଛି ଗୁରୁତର ଦୋଷ ।

ପ୍ରଭା-

-

ଏ କି କଥା ମଇତ୍ର !

ନିର୍ମଳ-

-

ଗୀତ

କେତେ କ୍ଳେଶ ସହିଛୁ ରେ ଏ ପାଷଣ୍ଡ ପାଇଁ ।

ଶତେ ଜନ୍ମେ କି ସୁଝିବି ମୋର ଭାଗ୍ୟ କାହିଁ । ୨ ।

ମଇତ୍ର ! ଏ ଦୁର୍ଭାଗା ଲାଗି ଏତେ କଷ୍ଟ ସହିଛୁ ।

 

ନିର୍ମଳ

-

ଗୀତ

ପ୍ରଭା ବନ୍ଧୁତା ହେଉ ଭବେ ଖ୍ୟାତି ।

ଦୀନ ବାଳକୃଷ୍ଣ ସଦା କରଇ ଆରତି । ୩ ।